ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ । ଏଥିପାଇଁ ମାର୍ଗଦର୍ଶିକା ଜାରି କରି ଲୋକମାନଙ୍କୁ ସଚେତନ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତି ରହିଛି ଅଧିକ ସଂକ୍ରମଣର ବିପଦ ।ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ । ବିଭିନ୍ନ ଜିଲ୍ଲାରୁ ଆସୁଛି ଶହ ଶହ ଆଖିଧରା କେସ୍ । ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି, ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ । ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ । ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।