ଛତିଶଗଡ଼: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୨ ମହିଳା ମାଓବାଦୀଙ୍କ ସମେତ ୧୪ ମାଓବାଦୀ ନିହତ। ନୂଆପଡ଼ା ଓ ଗରିଆବନ୍ଧ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାରାଣାସ୍ତ୍ର, ଆଇଡି ଓ ଗୋଟେ SLR ବନ୍ଧୁକ ଜବତ କରାଯାଇଛି। ଓଡ଼ିଶା-ଛତିଶଗଡ଼ ପୋଲିସର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି। ଓଡ଼ିଶାର SOG ଓ ଛତିଶଗଡ଼ E-30 ଫୋର୍ସ ପକ୍ଷରୁ ଅପରେସନ କରାଯାଇଥିଲା।
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଆଜି ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ କରୁଥିବା ବେଳେ ୧୪ ନକ୍ସଲଙ୍କ ମୃତଦେହ ଜବତ କରିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୯ ତାରିଖ ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଗତକାଲି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ଆଜି ସକାଳେ ପୁଣି ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।