ବିଶ୍ୱ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ଭାରତର ବିରାଟ କୋହଲି ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟ୍ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି । ଦିନିକିଆ ବିଶ୍ୱକପ୍ (୨୦୧୧ ସଂସ୍କରଣ) ବିଜୟ ଠାରୁ ନେଇ ଆନ୍ତର୍ଜାତିକ କ୍ରିକେଟ୍ରେ ୭୬ ଶତକ ସହାୟତାରେ ୨୫,୦୦୦ରୁ ଅଧିକ ରନ୍ ସଂଗ୍ରହ ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ସବୁ ଫର୍ମାଟ୍ରେ ଟିମ୍ର ନେତୃତ୍ୱ ଗ୍ରହଣ ଭଳି ଅନେକ ଉପଲବ୍ଧି ହାସଲ କରିଛନ୍ତି ବିରାଟ ।ଅଧିନାୟକ ଥିବାବେଳେ ସେ ଟିମ୍କୁ କୌଣସି ଫର୍ମାଟ୍ରେ ବିଶ୍ୱକପ୍ ଜିତାଇପାରି ନ ଥିଲେ ବି ଦ୍ୱିପାକ୍ଷିକ ସିରିଜ୍ରେ ଅନେକ ସଫଳତା ଦେଇଛନ୍ତି । ତେବେ ଜଣେ ଖେଳାଳି ବା ବ୍ୟାଟର୍ ଦୃଷ୍ଟିରୁ ବିଚାର କଲେ ଜଣାଯାଏ, ସେ ନିଜର ଦୀର୍ଘ କ୍ୟାରିଅର୍ରେ ଅନେକ ସଫଳତା ପାଇସାରିଲେଣି । ଆଉ କିଛି ଉପଲବ୍ଧି ମଧ୍ୟ ତାଙ୍କ ଠାରୁ ଆଶା କରାଯାଉଛି, ଯେପରିକି କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତିକ ଶତକ ରେକର୍ଡକୁ ଅତିକ୍ରମ କରିବା । ଏହା ଅବଶ୍ୟ ସେତେ ସହଜ କଥା ନୁହେଁ, କାରଣ ସମସ୍ତେ ସଚିନ ହୋଇପାରିବେ ନାହିଁ ।ବିରାଟ ନିଜ ୧୫ ବର୍ଷର କ୍ୟାରିଅର୍ରେ କ୍ରିକେଟ୍ ପିଚ୍ରେ ୫୧୦ କିଲୋମିଟର ଦୌଡ଼ିଛନ୍ତି । ସେ ନିଜ ରନ୍ ପାଇଁ ୨୭୭ କିଲୋମିଟର ଦୌଡ଼ିଥିବା ବେଳେ ନିଜ ଯୋଡ଼ିଦାରଙ୍କ ପାଇଁ ୨୩୩ କିଲୋମିଟର ଦୂରତ୍ୱ ନିର୍ଦ୍ଧାରଣ କରିଛନ୍ତି । ଏଥିରେ ବାଉଣ୍ଡାରୀ ଦୌଡ଼ ସାମିଲ ନାହିଁ ।ଟେଷ୍ଟ୍ ହେଉ କି ଦିନିକିଆ ଆନ୍ତର୍ଜାତିକ – ବିରାଟ କୋହଲିଙ୍କ ବିନା ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ସେ ଅନେକ ବର୍ଷ ହେଲା ଟିମ୍ର ଅଭିନ୍ନ ଅଙ୍ଗ ରହିଆସିଛନ୍ତି । ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍ରେ ତାଙ୍କ ଉପସ୍ଥିତି ଅପରିହାର୍ଯ୍ୟ ହୋଇଯାଇଛି ।ବିରାଟ ଆଜି ବି ଟିମ୍ର ସବୁଠାରୁ ଫିଟ୍ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି । କେବଳ ବ୍ୟାଟିଂ ପ୍ରଦର୍ଶନ ନୁହେଁ, ତାଙ୍କ ଫିଟ୍ନେସ୍ ମଧ୍ୟ ଅନ୍ୟ ଖେଳାଳିଙ୍କ ପାଇଁ ଉଦାହରଣ । ତାଙ୍କ ଉପସ୍ଥିତି ଟିମ୍ରେ ଉତ୍ସାହ ଭରିଦିଏ । ଚୟନକାରୀ ହୁଅନ୍ତୁ କି ଟିମ୍ ମ୍ୟାନେଜ୍ମେଣ୍ଟ – ସମସ୍ତେ ଏ କଥା ଜାଣନ୍ତି ।
ବିରାଟଙ୍କୁ ଏବେ ୩୪ ବର୍ଷ ବୟସ । ତାଙ୍କ ଭିତରେ ଆଉ ତିନି-ଚାରି ବର୍ଷର କ୍ରିକେଟ୍ ବାକି ଅଛି ବୋଲି କୁହାଯାଇପାରେ । ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ରେ ତାଙ୍କର ଖେଳିବା ସମ୍ଭାବନା କମ୍ । କେବଳ ଫିଟ୍ନେସ୍ ଯଥେଷ୍ଟ ନୁହେଁ । ବୟସ ବୃଦ୍ଧି ସହ ପ୍ରଦର୍ଶନରେ ନିରନ୍ତରତା ଓ ଫର୍ମ ବଜାୟ ରଖିବା ବଡ଼ କଥା । ମହେନ୍ଦ୍ର ସିଂହ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହେଲା । ଫିଟ୍ ଥିବା ସତ୍ତ୍ୱେ ତାଙ୍କୁ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିବାକୁ ପଡ଼ିଲା। ବିରାଟଙ୍କୁ ମଧ୍ୟ ବହୁ ସମୟରେ ଫର୍ମ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଭାରତରେ ହେବାକୁ ଥିବା ୨୦୨୩ ସଂସ୍କରଣ ତାଙ୍କ ପାଇଁ ଶେଷ ଦିନିକିଆ ବିଶ୍ୱକପ୍ ହୋଇପାରେ।