ବଢୁଛି ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ୮୫ଟି ଅପ୍ ଲାଇନର ଟ୍ରେନ ବାତିଲ କରାଯାଇଛି। ସେହିଭଳି ୯୩ଟି ଡାଉନ୍ ଟ୍ରେନ ବାତିଲ କରାଯାଇଛି। ଅକ୍ଟୋବର ୨୩, ୨୪, ୨୫ରେ ଚଳାଚଳ ହେବାକୁ ଥିବା କିଛି ଟ୍ରେନକୁ ସମ୍ଭାବ୍ୟ ବାତ୍ୟା ପାଇଁ ବାତିଲ କରାଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ୍ ଅପ୍ ରଖିବାକୁ କୁହାଯାଇଛି। ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍ ପଠାଯାଇ ସେବା ଦିଆଯିବ। ରାଜ୍ୟ ଏବଂ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରାଯାଉଛି।