ଆଜି ଅକ୍ଟୋବର ୨୯ । ୧୯୯୯ ମସିହା ମହାବାତ୍ୟାକୁ ଚବିଶ ବର୍ଷ ପୂରିଲା । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କରାଳ ରୂପ ।
ମହାବାତ୍ୟାର ରୂପ ଥିଲା ଭୟଙ୍କର । କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ୱସଂସ୍ତୁପରେ ପରିଣତ ହେଲା ଘରଦ୍ବାର । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳର ଅନେକ ଜିଲ୍ଲା । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ । ଚାହୁଁ ଚାହୁଁ ନିମିଶକ ମଧ୍ୟରେ ଧୁଳିସାତ ହୋଇଯାଇଥିଲା ଧନ ଜୀବନ ଆଉ ଆଖି ଆଗରେ ଭାସି ଯାଇଥିଲେ ପରିବାର ପରିଜନ । ବହୁ ହଜାର ହଜାର ଲୋକଙ୍କ ଜୀବନ ଯିବା ସହ ନଷ୍ଟ ହୋଇଥିଲା ବହୁ ଘରଦ୍ବାର, ଜମିବାଡି , ଧନସମ୍ପତ୍ତି । ଆଜି ବି କ୍ଷତିପୂରଣ ହୋଇନି କି ଲୋକଙ୍କ ଆଖିରେ ଲୁହ ଶୁଖିନି । ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଘଣ୍ଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ସମୁଦ୍ରର ଲୁଣି ଜୁଆରରେ ଏରସମାର ସ୍ଥିତି ପୁରା ଛାରଖାର ହୋଇଯାଇଥିଲା । ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା । ସେପଟେ ଆଜି ମହାବାତ୍ୟାକୁ ୨୪ ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମ୍ ରେ ଓଏସଡିଏମଏ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ ହୋଇଛି । ଏଥିରେ ୫୦୦ ରୁ ଉର୍ଦ୍ଧ୍ବ ପିଲା ଯୋଗ ଦେଇଥିଲେ । ଚଳିତ ବର୍ଷର ଥିମ୍ ରହିଛି ସଶକ୍ତ ‘ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା’ । ମହାବାତ୍ୟାର ବିଭିଷିକା ସହ ବିପର୍ଯ୍ୟୟକୁ ମୁକାବିଲା ପାଇଁ ପ୍ରସ୍ତୁତି ସଚେତନତା ଓ ସତର୍କର ବାର୍ତ୍ତା ବାଣ୍ଟିଥିଲା ।