ଜନ୍ମ ପରେ ନିଜନିଜ ମାଆଙ୍କୁ ହରାଇଥିବା ୨ ଶିଶୁ ଏବେ ସଂକଟରେ। ଜନ୍ମରୁ ମା’କ୍ଷୀରରୁ ବଞ୍ଚିତ ୨ ଅବହେଳିତ ଶିଶୁ ଯାଜପୁର ଜିଲ୍ଲା ର ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଜାରଗିସାହିର ସ୍ବର୍ଗତ ରଜ ହାଁସଦା ଓ ମଙ୍ଗଲ(ବୁଢ଼ାନ) ହାଁସଦାଙ୍କ ସବା ସାନପୁଅ ଗୁଲୁ(୩୦ ମାସ) ଓ ତଳନଗଡ଼ାର ସ୍ବର୍ଗତ ଆରତୀ ପ୍ରଧାନ ଓ ମାନସ ପ୍ରଧାନଙ୍କ ପ୍ରଥମ ସନ୍ତାନ ସୁମିତ୍ରା(୧୧ ମାସ)ଙ୍କ ଲାଳନପାଳନ ଓ ଭବିଷ୍ୟତକୁ ନେଇ ସଂପୃକ୍ତ ୨ ଜେଜେମାଆ ଭାରାକ୍ରାନ୍ତ।
ଗୁଣିଗାରେଡ଼ି ସନ୍ଦେହରେ ବାପା ସାଲକୁ ହାଁସଦାଙ୍କୁ ପଡ଼ୋଶୀମାନେ ସଂଘବଦ୍ଧ ହୋଇ ହତ୍ୟା ପୂର୍ବଦିନରୁ ମଙ୍ଗଲ ନିଖୋଜ। ୩ଟି ପିଲାଙ୍କର ମାଆ ତାଙ୍କ ପ୍ରଥମ ପତ୍ନୀ ଅନ୍ୟତ୍ର ପ୍ରେମ ବିବାହ କରିବା ପରେ ମଙ୍ଗଲ ଦ୍ବିତୀୟ ବିବାହ କରିଥିଲେ। ସାନପୁଅ ଗୁଲୁ ଭୂମିଷ୍ଠ ହେବା ପରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ରଜ ପ୍ରାଣ ହାରିଥିଲେ। ସେହିଦିନରୁ ଗୁଲୁ ବୃଦ୍ଧା ଜେଜେମାଆ ଶ୍ରୀମତୀ ହାଁସଦାଙ୍କ କୋଳରେ ବଢ଼ୁଛି। ଜନ୍ମ ପରେ କିଛିଦିନ ଡବାକ୍ଷୀର ଖାଇଥିବା ଗୁଲୁ ଏବେ ସେହି କ୍ଷୀର ବୋତଲରେ ପେଯ ତୋରାଣି ପିଉଥିବା ଦେଖାଯାଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ବୃଦ୍ଧାବସ୍ଥାରେ ସେ ଅସହାୟ ହୋଇପଡ଼ିଥିବା ବେଳେ ନାତି ବୋଝ ତାଙ୍କ ପାଇଁ ଭାରି ପଡ଼ୁଥିବା କହନ୍ତି ଶ୍ରୀମତୀ। ବାଲ୍ୟ ବିବାହ କରିଥିବା ନଗଡ଼ାର ଆରତୀ ପ୍ରଧାନ ଚିକିତ୍ସା ଅଭାବରୁ ପ୍ରସବକାଳୀନ ମୃତ୍ୟୁର ଶିକାର ହୋଇଥିଲେ। ସେହିଦିନରୁ ତାଙ୍କ ଶିଶୁକନ୍ୟା ସୁମିତ୍ରା ଜେଜେମାଆ ଜାମୁନିଙ୍କ କୋଳରେ ବଢ଼ୁଛି। ସାମ୍(ସିଭିଅର ଆକ୍ୟୁଟ ମାଲନ୍ୟୁଟ୍ରିସନ) ତାଲିକାଭୁକ୍ତ ସୁମିତ୍ରାଙ୍କୁ ଏକାଧିକ ବାର ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆର୍ସି) ଭର୍ତ୍ତି କରାଯାଇଥିଲେ ହେଁ ସେ ବିପଦମୁକ୍ତ ନଥିବା ବିଭାଗୀୟ ସୂଚନା ମିଳିଛି। ଅଧିକାଂଶ ସମୟରେ ଗାଁକୁ ଆସୁଥିବା ଡାକ୍ତରୀଦଳ ପାଖେ ନାତୁଣୀ ପାଇଁ ହାତ ପତାଇ ଡବାକ୍ଷୀର ମାଗୁଥିବା ଜେଜେମାଆ ଜାମୁନି ଏନ୍ଆର୍ସି ଯିବାକୁ ନାରାଜ। ପରପିଢ଼ିର ଭବିଷ୍ୟତ ଗଢ଼ିବାରେ ଅଭାବଗ୍ରସ୍ତ ୨ ଜେଜେମାଆଙ୍କ ଜୁ ନଥିବା ଜଳଜଳ ଦିଶୁଛି। ସେମାନଙ୍କ ପାଖେ ସୁଷମ ଶିଶୁ ଆହାର ସାତସପନ ହୋଇରହିଛି। ଖାଦ୍ୟାଭାବ ସମସ୍ୟା ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶକୁ ପ୍ରଭାବିତ କରିଛି। ଉଭୟ ଶିଶୁ ରୁଗ୍ଣ ଓ କୁପୋଷକ ଦେଖାଯାଉଛନ୍ତି। ବୁକୁ ଫଟା କାନ୍ଦ ବେଳେ ମାଆ କୋଳ କିମ୍ବା ଖେଳଣା ଖୋଜୁଥିବା ଏହି ମାତୃହରା ଶିଶୁ ଦ୍ବୟଙ୍କୁ ଅଧିକାଂଶ ସମୟରେ ପାଖ ପଡ଼ୋଶୀ ନାବାଳିକାମାନେ କାଖେଇ ମନ ଭୂଲାଉଥିବାର ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହେଉଛି।
ଏହି ଶିଶୁଦ୍ବୟଙ୍କ ପାଖେ ଶାରୀରିକ ବିକାଶ, ସୁରକ୍ଷା ଓ ଅଧିକାର କ୍ଷୁଣ୍ଣ ହୋଇଥିଲେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହୁଏ। ଏ ସଂପର୍କରେ ସିଡିପିଓ ଭାନୁମତୀ ବେହେରାଙ୍କୁ ପଚାରିବାରେ ଯଥାଶୀଘ୍ର ସେ ଶିଶୁ ଦ୍ବୟଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ବିଭାଗୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି।
ସଂକଟରେ ଜନ୍ମରୁ ମାତୃହରା ୨ ଶିଶୁ
Leave a comment