ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୬ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ୩ଲକ୍ଷ ୮୪ ହଜାର ୫୯୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୫୯ ହଜାର ୩୯ଜଣ ରହିଥିବା ବେଳେ ଏକ୍ସରେଗୁଲାରରେ ୨୫ ହଜାର ୫୫୮ଜଣ ଅଛନ୍ତି। କଳା ବିଭାଗରେ ସର୍ବାଧିକ ୨,୩୬,୪୨୫, ବିଜ୍ଞାନରେ ୧,୧୬,୪୪୭, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ବିଷୟରେ ୫,୭୬୫ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍ ପୂର୍ବରୁ ହଲ୍ରେ ପ୍ରବେଶ ସହ ସିଟ୍ରେ ବସିବେ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଏବଂ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ପୂର୍ବାହ୍ନ ୧୦ଟାରେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ଲେଖିବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରିବାକୁ ସିଏଚ୍ଏସ୍ଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।