ଗୁଜୁରାଟର ପୋରବନ୍ଦର ଉପକୂଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆରବ ସାଗରରେ ଆଡ୍ଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲ୍ଏଚ୍) ଜରୁରୀକାଳୀନ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ତିନିଜଣ ସଦସ୍ୟ ନିଖୋଜ ହୋଇ ଯାଇଛନ୍ତି। ଏହି ହେଲିକପ୍ଟରରେ ଚାରିଜଣ ସଦସ୍ୟ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୁଜୁରାଟର ପୋରବନ୍ଦର ଉପକୂଳରୁ ଅଏଲ୍ ଟ୍ୟାଙ୍କର୍ ହରି ଲୀଲାର ଆହତ ସଦସ୍ୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସେପ୍ଟେମ୍ବର ୨ ତାରିଖ ରାତି ୧୧ଟା ସମୟରେ ହେଲିକପ୍ଟର ପଠାଯାଇଥିବା ବେଳେ ତଟରକ୍ଷୀ ବାହିନୀର ସଦସ୍ୟମାନେ ନିଖୋଜ ହୋଇଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ହୋଇଥିବା ଏକ ପୋଷ୍ଟରେ ଭାରତୀୟ ତଟରକ୍ଷୀ ବାହିନୀ କହିଛନ୍ତି ଯେ ନିଖୋଜ ହୋଇଥିବା ତିନିଜଣ ସଦସ୍ୟଙ୍କ ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ପୋଷ୍ଟରେ ଆହୁରି ବି କୁହାଯାଇଛି ଯେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଚାରୋଟି ଜାହାଜ ଏବଂ ୨ ବିମାନ ନିୟୋଜିତ କରିଛି।