ମାଲକାନଗିରି: ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଦୁର୍ଦ୍ଦାନ୍ତ ମହିଳା ନକ୍ସଲଙ୍କୁ କରିଛି ଗିରଫ। ସେମାନଙ୍କ ମଧ୍ୟରୁ ଜଣେ ଏସିଏମ୍ ରାଙ୍କର। ସେହିପରି ଏହି ୩ ଜଣଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଗୁଇନ୍ଦା ରିପୋର୍ଟ ଆଧାରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡ଼ା ଜଙ୍ଗଲରୁ ଏହି ୩ ନକ୍ସଲଙ୍କୁ ଗିରଫ କରିଛି ପୁଲିସ। ଗିରଫ ନକ୍ସଲମାନେ ହେଉଛନ୍ତି ସ୍ୱପ୍ନା ଓରଫ ଚନ୍ଦ୍ରମା ଖିଲୋ, ବବିତା ଓରଫ କମଳା ଖିଲୋ ଓ ସୁନୀତା ଖିଲୋ। ସେମାନଙ୍କ ଘର ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଥାନା ଧାକଡ଼ପଦର ଗାଁରେ।
ସ୍ୱପ୍ନା ୨୦୧୮ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ମାଲକାନଗିରିର ଗୁମ୍ମା ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ତାଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ୨୦୨୧ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ବବିତା। ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସୁନୀତା ଖିଲୋ ୨୦୨୧ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।