ଭାରତୀୟ କୂଟନୀତିର ବଡ ବିଜୟ । ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କାତାର । ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବତ୍ତିି ଜାରି କରି ଏହି ଘଟଣାକୁ ସ୍ୱାଗତ କରିବା ସହ କହିଛି ଯେ ଅଲ୍ ଦହରା ଗ୍ଲୋବାଲ କମ୍ପାନିରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି ।କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ସ୍ୱାଗତ କରିଛନ୍ତି । ନାଗରିକମାନଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ୨୦୨୨ ଅଗଷ୍ଟରେ ଗିରଫ ହୋଇଥିବା ୮ଜଣ ଅବସରପ୍ରାପ୍ତ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡାଦେଶକୁ ଗତବର୍ଷ ଡିସେମ୍ବର ମାସରେ କତରର ଏକ ଅଦାଲତ ରଦ୍ଦ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଭାରତ ସରକାର ଫାଇଲ୍ କରିଥିବା ଆବେଦନ ପତ୍ରକୁ କତରର କୋର୍ଟ ଅଫ୍ ଫାଷ୍ଟ୍ ଇନ୍ଷ୍ଟାନ୍ସ୍ ଗ୍ରହଣ କରି ଉପରୋକ୍ତ ରାୟ ଦେଇଥିଲେ। ଦିଲ୍ଲୀକୁ ଫେରିଆସିଥିବା ଉକ୍ତ ଅବସରପ୍ରାପ୍ତ ନୌସେନା କର୍ମଚାରୀମାନେ ଏ ମାମଲାରେ ହସ୍ତକ୍ଷେପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।