ମୁମ୍ବାଇରେ ବିଲବୋର୍ଡ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସୋମବାର ଅପରାହ୍ନରେ ପ୍ରବଳ ଧୂଳି ଝଡ଼ ଓ ବର୍ଷା ଯୋଗୁଁ ଘାଟକୋପର ଅଞ୍ଚଳରେ ଏକ ବିଲବୋର୍ଡ ଭୁଶୁଡି ପଡିଥିଲା। ଏଥିରେ ମୋଟ୍ ୮୮ ଜଣ ପ୍ରଭାବିତ ହୋଇଥିବାବେଳେ ୭୪ ଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ବିଲ୍ବୋର୍ଡ ଖସିବା ଫଳରେ ସେଠାରେ ପାର୍କିଂ କରାଯାଇଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି। ରେଳଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେବାଫଳରେ କେତେକ ରୁଟ୍ରେ ଲୋକାଲ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ଅଞ୍ଚଳକୁ ଏନ୍ଡିଆରଏଫ୍ ଟିମ୍ ପଠାଯାଇଛି। ଆହତଙ୍କୁ ବ୍ରିହନ ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ ଦ୍ବାରା ପରିଚାଳିତ ରାଜାୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଥାଣେ-ବେଲାପୁର ରାଜପଥର ୱାଡାଲା ନିକଟରେ ହୋର୍ଡିଂ ଖସିପଡିବାରୁ କେତେକ ଲୋକ ଆହତ ହୋଇଛନ୍ତି। ଯୋଗେଶ୍ବରୀରେ ଗୋଟିଏ ଗଛ ଉପୁଡି ଅଟୋ ଉପରେ ପଡିବାରୁ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ବର୍ଷା ଓ ଧୂଳି ଝଡ଼ ଯୋଗୁଁ ଆରେ-ଅନ୍ଧେରୀ ଇଷ୍ଟ ରୁଟ୍ରେ ମେଟ୍ରୋ ସେବାକୁ ଦୁଇ ଘଣ୍ଟା ବନ୍ଦ ରଖାଯାଇଥିଲା। ଗୋରେଗାଓଁ ଅଞ୍ଚଳରେ ଝଡ଼ ତୋଫାନ ଯୋଗୁଁ ଗୋଟିଏ ବଡ ହୋର୍ଡିଂ ବିଦ୍ୟୁତ୍ ତାର ଉପରେ ପଡିବାରୁ ସେହି ଅଞ୍ଚଳରେ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ଜୋରରେ ପବନ ବହିବାରୁ ଥାଣେ-ମୁଲୁନ୍ଦ ରୁଟ୍ରେ ରେଳବାଇ ସିଗ୍ନାଲ ଖୁଣ୍ଟ ବଙ୍କା ହୋଇଯାଇଛି। ପାଣିପାଗ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଘରେ ରହିବାକୁ ମୁମ୍ବଇବାସୀଙ୍କୁ ପରାମର୍ଶ ଦିଆଯାଇଛି।