ଟ୍ରେନ ଦୁର୍ଘଟଣାର କଥା ଆସିଲେ ଭୟରେ ଛାତି ଥରି ଉଠେ। ଯେଉଁ ବାଲେଶ୍ୱରର ବାହାନଗାର ଦୃଶ୍ୟ ଆଖି ସାମ୍ନାକୁ ଚାଲିଆସେ। ଏହି ଘଟଣାକୁ କେହି କେବେ ବି ଭୁଲି ପାରିବେନି। ସେହି ବାଲେଶ୍ୱରରୁ ଆଜି ଆଉ ଏକ ଟ୍ରେନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ପୁଣିଥରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ଟ୍ରେନ ଦୁର୍ଘଟଣା । ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ନେଇ ଜାଣିବାକୁ ମିଳିଛି । ଭଦ୍ରକରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଏହି ଟ୍ରେନର ୪ଟି ବଗିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଭୟ ଖେଳିଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ଭଦ୍ରକରୁ ଝାଡ଼ଖଣ୍ଡକୁ ଯାଉଥିବା ଏହି ମାଲବାହୀ ଟ୍ରେନରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ତେବେ ଏଭଳି ଏକ ଅଘଟଣରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।