ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଆଷାଢର ପହିଲି ପୁଲକରେ ପୁଲକିତ ଧରାପୃଷ୍ଠ। ରଜପାଇଁ ଗାଁଠୁ ସହର ଉତ୍ସବମୁଖର। ଦୋଳି ଖେଳରେ ମଉଜ କରୁଛନ୍ତି ଝିଅ ବୋହୂ। ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପରିଧାନ କରି ପିଠା, ମିଠା ଖାଇ ଦୋଳି ଖେଳୁଛନ୍ତି। କୁନି କୁନି ପିଲାମାନେ ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ଦୋଳି ଖେଳ ରଜ ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି। ଗାଁଠୁ ଆରମ୍ଭ କରି ସହରରେ ଦୋଳି ଖେଳର ଆୟୋଜନ କରାଯାଉଛି। ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପୀଠା ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି ।