ବିଗତ ୮ ବର୍ଷ ଧରି ଓଡ଼ିଶା ପାଇଁ ଖେଳି ଆସୁଛନ୍ତି ଶୁଭ୍ରାଂଶୁ ସେନାପତି। ଓଡ଼ିଶା ଦଳ ରଣଜୀ ଟ୍ରଫିରେ କ୍ବଚିତ୍ କ୍ବାର୍ଟରଫାଇନାଲ୍ ଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରୁନି। ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ଦୁଇ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଆଇପିଏଲ୍ରେ ଖେଳାଇବା ପାଇଁ ନେଇଥିଲା। କିନ୍ତୁ ଦୁଇ ବର୍ଷ ଧରି ସେ କେବଳ ଡଗ୍ଆଉଟ୍ରେ ବସି ଫେରିଥିଲେ। ଏପରିକି କୌଣସି ଔପଚାରିକ ମ୍ୟାଚ୍ ନଖେଳି ମଧ୍ୟ ନିଜ କ୍ଷେତ୍ରରକ୍ଷଣ କୌଶଳ ପାଇଁ ଆଇପିଏଲ୍ ଇତିହାସରେ ନିଜ ନାମ ଲେଖାଇ ପାରିଥିଲେ। ଏସବୁ ସତ୍ତ୍ବେ ସେ ଆସନ୍ତା ଋତୁଠାରୁ ଆଉ ଓଡ଼ିଶା ପାଇଁ ଖେଳିବେନି ବୋଲି ସ୍ଥିର କରିସାରିଛନ୍ତି। ରଣଜୀ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା କ୍ରିକେଟ ଦଳକୁ ବଡ଼ ଝଟକା। ଓଡ଼ିଶା କ୍ରିକେଟ ସଂଘର ଭିଜନ୍ ୨୦୨୪କୁ ବଡ଼ ଧକ୍କା ଲାଗିବାକୁ ଯାଉଛି। କାରଣ ଓଡ଼ିଶାର ଷ୍ଟାର କ୍ରିକେଟର ଶୁଭ୍ରାଂଶୁ ସେନାପତି ନିଜ ରାଜ୍ୟରୁ ଆଉ ପ୍ରତିନିଧିତ୍ବ କରିବେନି। ସେ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ପାଇଁ ଘରୋଇ ମ୍ୟାଚ୍ ଖେଳିବାକୁ ମନ ବଳାଇଛନ୍ତି। ସେ ୧୦ମ ଓଡ଼ିଆ ଖେଳାଳି ଭାବେ ରାଜ୍ୟ ବାହାର ଦଳରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଯାଉଛନ୍ତି।