ବିଶ୍ବ କ୍ରିକେଟରେ ରାଜ କରିବାକୁ ଯାଉଛି ଭାରତ। ଆଇସିସି ସିଂହାସନ ଉପରେ ହେବ ଭାରତର ରାଜ। କାରଣ ଆଇସିସିର ନୂଆ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ। ଗ୍ରେଗ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ନଥିବାରୁ ଏବେ ବିସିସିଆଇ ସଚିବ ଜୟ ଶାହା ଏହି ପଦବୀ ସମ୍ଭାଳିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ନେଇପାରନ୍ତି।
ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ହେବାକୁ ସେ ନିଜ ଆଡ଼ୁ ମନା କରି ଦେଇ ଥିବାରୁ ଜୟ ଶାହଙ୍କ ନାମ ଚର୍ଚ୍ଚାରେ ରହିଛି। ସେପଟେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଜୟ ଶାହଙ୍କୁ ସମର୍ଥନ ଜଣାଇଛନ୍ତି। ଫଳରେ ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।