କ୍ରୀଡା ଦୁଇ ଅକ୍ଷର ଶବ୍ଦଟିଏ, କିନ୍ତୁ ତାର ମହତ୍ୱ ଏତେ ବ୍ୟାପକ ଯେ ସମସ୍ତଙ୍କୁ ନିଜର କରିନିଏ । ବ୍ୟକ୍ତି ଭିତରେ ଶକ୍ତି ଓ ଉନ୍ମାଦନର ଆଶାକୁ କରିଦିଏ ଜାଗ୍ରତ। ଏହି ହାଡ, ମାଂସର ଶରୀର ଭିତରେ ଢାଳିଦିଏ ଅସରନ୍ତି ଆନନ୍ଦ ଓ ଉଲ୍ଲାସ । ମନୁଷ୍ୟ ଶରୀରକୁ ସୁସ୍ଥ, ଫୁର୍ତି ତଥା ସ୍ୱାସ୍ଥ୍ୟବାନ ରଖିବା ନିମନ୍ତେ କରାଯାଉଥିବା ଖେଳକୁଦ ଓ କସରତକୁ କ୍ରୀଡା କୁହାଯାଏ । ଶରୀରର ଅଙ୍ଗପ୍ରତ୍ୟଙ୍ଗଙ୍କ ସୁସ୍ଥ ରହିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ହେଉଛି କ୍ରୀଡା । କ୍ରୀଡା ମାନବ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏହାର ମହତ୍ୱ ଅଛି । ଜଣେ ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ଗଠରେ ଏହା ସହାୟକ। ରାଜ୍ୟ ରାଜ୍ୟ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ହେଇଛି କ୍ରୀଡା ।ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା । ହକି ଦୁନିଆରେ ମେଜର ଧ୍ୟନଚାନ୍ଦ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲେ ତାହା ସମସ୍ତେ ଜାଣିଛନ୍ତି । ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୧୨ରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । କିନ୍ତୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବା ପାଇଁ ଅନେକ ବିଳମ୍ବ ହୋଇ ଯାଇଥିଲା ବୋଲି । କିନ୍ତୁ ସେବେଠାରୁ ପର୍ୟ୍ୟନ୍ତ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି ।