ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ। ଜମ୍ମୁରେ ଥିବା ଆର୍ମି ବେସ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ସୁଞ୍ଜୱାନ ସ୍ଥିତ ସେନାର ସବୁଠୁ ବଡ଼ ବେସ୍ର ଅତି ନିକଟରୁ ଗୁଳିମାଡ଼ ହୋଇଛି। ଆତଙ୍କୀଙ୍କ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେନା ପକ୍ଷରୁ ଲେଫ୍ଟନାଣ୍ଟ କର୍ଣ୍ଣଲ ସୁନୀଲ ବର୍ତଓ୍ବାଲ କହିଛନ୍ତି ଯେ ସୋମବାର ପୂର୍ବାହ୍ନ ୧୦ଟାରୁ ୧୦.୩୦ ମଧ୍ୟରେ ଆତଙ୍କବାଦୀ ମାନେ ସେନାର ବେସ୍ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଛି। ଏବେ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ସେ କହିଛନ୍ତି। ଗତ ସପ୍ତାହରେ ଅଗଷ୍ଟ ୩୧ ତାରିଖରେ ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିଲା। ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।