ଏବେ ଉତ୍ତର ବାଲେଶ୍ଵର ରେ ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି।ଆଜି ସକାଳ ୭ ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଙ୍କେତ ଠାରୁ ବହୁ ଉପରେ ଅର୍ଥାତ୍ ୧୧.୫୮ ମିଟର ରେ ପ୍ରବାହିତ ହେଉଛି। ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସେହିପରି ନଦୀର ଉପର ମୁଣ୍ଡରେ ଥିବା ଜାମଶୋଳାଘାଟରେ ମଧ୍ୟ ସକାଳ ୭ ଟାରେ ନଦୀର ଜଳପତ୍ତନ ୫୦.୮୦୦ ମିଟର ରହିଛି। ଏଠାରେ ବିପଦ ସଂଙ୍କେତ ୪୯.୧୬୦ ମିଟର ରହିଛି। ତେବେ ବିଳମ୍ବିତ ରାତିରୁ ଜାମଶୋଳାଘାଟଠାରେ ନଦୀର ଜଳ ପତ୍ତନ ହ୍ରାସ ପାଉଥିବା ସୂଚନା ମିଳିଛି। କିନ୍ତୁ ରାଜଘାଟ ରେ ଜଳସ୍ତର ବଢୁ ଥିବାରୁ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଜଳେଶ୍ଵର,ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକରେ ଦୟନୀୟ ସ୍ଥିତି। ବନ୍ୟା ପାଣି ନଦୀ ବନ୍ଧ ନଥିବା ସ୍ଥାନରେ ଓ ନଦୀର ବିଭିନ୍ନ ଶାଖା ନାଳ ଦେଇ ନଦୀ ପାଖ ଗାଁ ମଧ୍ୟକୁ ପ୍ରଖର ସ୍ରୋତରେ ପ୍ରବେଶ କରୁଛି।ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଜି ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ।