ସୁରଟ: ସୁରଟର ଜଣେ ୩୨ ବର୍ଷୀୟ କମ୍ପ୍ୟୁଟର ଅପରେଟର କାମ ଜନିତ ଚାପ ଯୋଗୁଁ ତାଙ୍କ ବାମ ହାତର ୪ଟି ଆଙ୍ଗୁଠି କାଟି ଦେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ମାସ ୮ ତାରିଖରେ ବେଦାନ୍ତ ସର୍କଲ ନିକଟରେ ପରିସ୍ରା କରୁଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିବା ସହ ଆଙ୍ଗୁଠି କାଟି ଦେଇଥିବା ନେଇ ପ୍ରଥମେ ପୁଲିସକୁ ଜଣାଇଥିଲେ। ଆକ୍ରମଣ ସମୟରେ ସେ ଚେତା ହରାଇ ଥିଲେ ବୋଲି ସେ କହିଛନ୍ତି। ତେବେ ଡିଟେକ୍ସନ ଅଫ୍ କ୍ରାଇମବ୍ରାଞ୍ଚ (ଡିସିବି) ତଦନ୍ତରେ ତାଙ୍କ କାହାଣୀରେ ଅସଙ୍ଗତି ଥିବା ଜଣାପଡ଼ିଥିଲା। ଯୁବକଙ୍କ ମୋଟର ସାଇକେଲ, ଫୋନ୍ ଓ ନଗଦ ଟଙ୍କା ସୁରକ୍ଷିତ ଥିବା ଜାଣିବା ପରେ ପୁଲିସର ସନ୍ଦେହ ବୃଦ୍ଧି ପାଇଥିଲା। ଆକ୍ରମଣର କୌଣସି ପ୍ରମାଣ ମଧ୍ୟ ପୁଲିସକୁ ମିଳିନଥିଲା। ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିବା ସ୍ୱୀକାର କରିଥିଲେ।
ମାଲିକ ତାଙ୍କ ବାପାଙ୍କ ସମ୍ପର୍କୀୟ ହୋଇଥିବାରୁ ପାରିବାରିକ ଦାୟିତ୍ବ ଯୋଗୁଁ ସେ ଚାକିରିରେ ଫସି ରହିଥିବା ଅନୁଭବ କରିଥିଲେ ବୋଲି କହିଥିଲେ। ଘଟଣାର କିଛି ଦିନ ପୂର୍ବରୁ ସେ ଏକ ଛୁରୀ କିଣିଥିଲେ ଓ ଚାପଗ୍ରସ୍ତ ପରିସ୍ଥିତିରୁ ବର୍ତ୍ତିବା ପାଇଁ ନିଜ ଆଙ୍ଗୁଠି କାଟି ଦେଇଥିଲେ। ଏହାପରେ ସେ ପୁଲିସକୁ ସେହି ସ୍ଥାନକୁ ନେଇଯାଇଥିଲେ ଯେଉଁଠାରେ ସେ ଛୁରୀ ଏବଂ ତାଙ୍କ କଟା ଆଙ୍ଗୁଠିକୁ ଫିଙ୍ଗି ଦେଇଥିଲେ। ପ୍ରଥମ ପ୍ରୟାସରେ ସେ ୩ଟି ଆଙ୍ଗୁଠି କାଟିବାରେ ସଫଳ ହୋଇଥିଲେ ଏବଂ ଚତୁର୍ଥ ଆଙ୍ଗୁଠିକୁ କାଟିବା ପାଇଁ ସେ ପୁଣି ଥରେ ଚେଷ୍ଟା କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସିଭିଲ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ହୋଇଥିବା ଏହି ବ୍ୟକ୍ତି ମାସକୁ ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରନ୍ତି ଓ ତାଙ୍କର ପତ୍ନୀ ଓ ଦୁଇ ବର୍ଷର ଝିଅ ଅଛନ୍ତି। ତାଙ୍କ ବାପା ଜଣେ କୃଷକ ବୋଲି ଜଣାପଡିଛି।