ଓଡ଼ିଶା କ୍ରିକେଟର କୋଚ୍ ନିଯୁକ୍ତ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ସେହିପରି ସିନିୟର ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରୁମେଲି ଧରଙ୍କୁ ନିଯୁକ୍ତ ମିଳିଛି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟଙ୍କର କାର୍ଯ୍ୟକାଳ ବର୍ଷେ ଲେଖାଏ ରହିବ । ଦୀନେଶ ମୋଙ୍ଗିଆ ୫୭ଟି ଅନ୍ତର୍ଜାତୀୟ ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି । ୧୨୧ଟି ପ୍ରଥମ ଶ୍ରେଣୀ ଓ ୧୯୮ଟି ଲିଷ୍ଟ-ଏ ଫର୍ମାଟ ମ୍ୟାଚ ଖେଳିବା ଅଭିଜ୍ଞତା ରହିଛି । ସେହପିରି ରୁମେଲି ଭାରତ ପକ୍ଷରୁ ୪ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ଦିନେଶ ମୋଙ୍ଗିଆ ଗତ ୨୦୧୯ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଗ୍ରହଣ କରିସାରିଛନ୍ତି । ଓଡିଶା ଦଳର ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ସେ ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଓଡ଼ିଶା ପୁରୁଷ ସିନିୟର ଦଳର ଖେଳାଳିମାନଙ୍କୁ ଭେଟିବେ ।