ନୂଆଦିଲ୍ଲୀ: ତୈଳ ବିପଣନକାରୀ କମ୍ପାନିମାନେ ଦର ସଂଶୋଧନ କରିଥିବାରୁ ଆଜିଠାରୁ ୧୯ କିଲୋ ଓଜନବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।ସଂଶୋଧିତ ଦର ଅନୁସାରେ, ଆଜିଠାରୁ (ମେ ୧) ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଓଜନବିଶିଷ୍ଟ ‘ଏଲ୍ପିଜି’ ୧,୮୫୬ ଟଙ୍କା ୫୦ ପଇସାରେ ମିଳିବ। ଦେଶର ଚାରି ମହାନଗରରେ ୧୭୧.୫୦ ଟଙ୍କା ପର୍ଯ୍ୟନ୍ତ LPG Cylinder ମୂଲ୍ୟ ହ୍ରାସ ପାଇଛି । ଆଜି ଠାରୁ ତଥା ମେ ୧ରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ନୂତନ ମୂଲ୍ୟର ତାଲିକା ପ୍ରକାଶ ପାଇଛି । ହେଲେ ଘରୋଇ ବ୍ୟବହାର ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଥିବା ସୂଚନା ।
ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୯ ଗ୍ୟାସ୍ ସିଲିଣ୍ଡର୍ର ମୂଲ୍ୟ ୨୦୨୮ ଟଙ୍କା ବଦଳରେ ୧୮୫୬.୫୦ ଟଙ୍କାରେ ଉପଲବ୍ଧ ହେବ । ସେହିପରି କୋଲକାତାରେ ୨୧୩୨ ଟଙ୍କା ବଦଳରେ ୧୯୬୦.୫୦ ଟଙ୍କାରେ ଏବଂ ମୁମ୍ବାଇରେ ୧୯୮୦ ବଦଳରେ ୧୮୦୮.୫୦ ଟଙ୍କାରେ ଉପଲବ୍ଧ ହେବ ଗ୍ୟାସ ସିଲିଣ୍ଡର । ଅନ୍ୟପଟେ ବର୍ତ୍ତମାନ ଚେନ୍ନାଇରେ କମର୍ସିଆଲ ଏଲପିଜି ୨୦୨୧.୫୦ ଟଙ୍କାରେ ମିଳିବ, ଯାହା ପୂର୍ବରୁ ଏହା ୨୧୯୨.୫୦ ଟଙ୍କା ଥିଲା ।ତେବେ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର୍ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ଦ୍ୱିତୀୟ ମାସ ପାଇଁ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର୍ ମୂଲ୍ୟରେ ହ୍ରାସ ଆସିନାହିଁ । ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଗାମୀ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି ।