ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା । ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ। ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। ଶରଧାବାଲି ଓ ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼। ଶୃଙ୍ଖଳିତ ବାହୁଡ଼ା ନୀତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଜୋର ଦେଇଥିବାବେଳେ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଫୋକସ୍ କରିଛି ପୋଲିସ୍ ପ୍ରଶାସନ। ସେପଟେ ଆଜି ନବମୀ ତିଥିରେ ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଏବର୍ଷର ଶେଷ ଦର୍ଶନ କରିଛନ୍ତି।ରଥଯାତ୍ରା ଭଳି ଆଜି ବାହୁଡ଼ାରେ ପୁରୀସହରର ଟ୍ରାଫିକ୍ ବ୍ୟବସ୍ଥା ସମାନ ରହିଥିଲେ ବି ଭକ୍ତଙ୍କ ସଂଖ୍ୟା ଓ ସ୍ଥିତିକୁ ଦେଖି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ଏସ୍ପି କହିଛନ୍ତି।