ବୟସର ଅପରାହ୍ନରେ ଯୁବସୁଲଭ ଚପଳତା । କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ବୟସ ଏକ ସଂଖ୍ୟା ମାତ୍ର । ଆଉ ଏହାକୁ ସତ କରି ଦେଖାଇଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୦୬ ବର୍ଷିୟ ରାମବାଇ । ଉତ୍ତରାଖଣ୍ଡର ଦେହରାଡୁନ ସହରରେ ମଙ୍ଗଳବାର ଦିନ ୧୮ ତମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ସମାପନ ହୋଇଛି । ଏଠାରେ ୧୦୦ ଏବଂ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାମବାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସଟପୁଟ ଇଭେଣ୍ଟରେ ମଧ୍ୟ ସେ ଶାନଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି । ବୟସର ଅପରାହ୍ନରେ ରାମବାଇ ୧୦୦, ୨୦୦ ମିଟର ଦୌଡ଼, ରିଲେ, ଲଙ୍ଗ୍ ଜମ୍ପରେ ଚାରିଟି ସ୍ୱର୍ଣ୍ଣ ପଦକ ଜିତି ଜାତୀୟ ସ୍ତରୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ନଭେମ୍ବର ୨୦୨୧ରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ରାମବାଇ ତାଙ୍କ ଗାଁର ସବୁଠାରୁ ବୟସ୍କା ମହିଳା ବୋଲି ସୂଚନା ମିଳିଛି । ସମସ୍ତେ ତାଙ୍କୁ ଉଡନପରୀ ଦାଦି ନାମରେ ଡାକନ୍ତି ।