ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଯାଇଛି। କିନ୍ତୁ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅଞ୍ଚଳରେ ରହିଛି। ଏହା ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ଲମ୍ବିଛି ଓ ଉତ୍ତର ଆଡ଼କୁ ଢଳି ରହିଛି। ଅନ୍ୟପଟେ ମୌସୁମୀଜନିତ ନିମ୍ନ ଚାପରେଖା ଗଙ୍ଗାନଗର, ଗ୍ବାଲିଅର୍, ସିଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଓ ଦକ୍ଷିଣ-ପୂର୍ବ ଦିଗରୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏହି ଦୁଇ ପାଣିପାଗର ନିୟାମକ ଯୋଗୁଁ ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଯାଇଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲା ସହ ଉପକୂଳ ଓଡ଼ିଶାରେ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନ ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବ। ୩୧ରୁ ୨ ତାରିଖ ଯାଏ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ବର୍ତ୍ତମାନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପଶ୍ଚିମ ଆସାମ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଦେଇ ଉତ୍ତର-ଦକ୍ଷିଣ ଟ୍ରଫ୍ଲାଇନ୍ ଗତି କରୁଛି। ୨୯ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଫଳରେ ରାଜ୍ୟରେ ଆସନ୍ତା ୨ ତାରିଖ ଯାଏ ବିସ୍ତୃତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୩୧ ତାରିଖ ଦିନ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।