ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ବର୍ଷା ସ୍ଥିତିକୁ ଦେଖି ସମ୍ବଲପୁରରେ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।