ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥ ଆଗରେ ନାଚଗୀତ, ଏଣେ ସଂସଦ ଭବନ ପରିସରରେ ଚାଲିଥିଲା ମୁହଁମିଠା। ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ଫେରିପାଇବା ପରେ, କଂଗ୍ରେସ ଦଳ ସମେତ ଇଣ୍ଡିଆ ମେଣ୍ଟରେ ଉତ୍ସାହର ଲହରି, ଉତ୍ସବର ମାହୋଲ୍। ସେଲିବ୍ରେସନ ଭିତରେ ଆଜି ପାର୍ଲାମେଣ୍ଟ ପରିସରକୁ ପ୍ରବେଶ ପରେ ପ୍ରଥମେ ଗାନ୍ଧିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକସଭାକୁ ଯାଇଥିଲେ ରାହୁଲ। ତାଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ କଂଗ୍ରେସ ସାଂସଦମାନେ। ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ। ସଂସଦ ସଚିବାଳୟ ପକ୍ଷରୁ ସଦସ୍ୟ ପଦ ପୁନର୍ବାହାଲ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ, ୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି, ତା ପୁଣି ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ବିତର୍କ ଆରମ୍ଭ ହେବାର ଠିକ୍ ପୂର୍ବଦିନ। ଯାହାକି ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ଶକ୍ତି ସଂଚାର କରିଛି । ହୁଏତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ରାହୁଲ ହିଁ ବିରୋଧୀଙ୍କ ମୁଖ୍ୟ ବକ୍ତା ସାଜିପାରନ୍ତି ବୋଲି କୁହାଯାଉଛି। ତେବେ ବିଜେପି କହିଛି, ଏବେବି ରାହୁଲ ଦୋଷମୁକ୍ତ ହୋଇନାହାନ୍ତି।