୧୯୪୫ ମସିହା ଅଗଷ୍ଟ ୯ ତାରିଖ ଆଜିର ଦିନରେ ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ । ଇତିହାସ ପୃଷ୍ଠାରେ ମଧ୍ୟ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ରୁପେ ଲିପିବଦ୍ଧ ହୋଇରହିଛି । ଆମେରିକା ଦ୍ୱାରା ଅଗଷ୍ଟ ୯ ତାରିଖରେ ଦକ୍ଷିଣ ଜାପାନର ବନ୍ଦରଗାହ ନଗର ନାଗାସାକିରେ ୧୧ ଟା ୧ ମିନିଟ୍ ସମୟରେ ୬.୪ କିଲୋର ଏକ ପ୍ଲୁଟୋନିୟମ୍ ୨୩୯ ର “ଫ୍ୟାଟମ୍ୟାନ୍” ନାମକ ଏକ ବୋମା ପଡିଥିଲା ।ଏହା ପୂର୍ବରୁ ଅଗଷ୍ଟ ୬ ରେ ଆମେରିକା ଜାପାନର ହିରୋସିମା ସହରରେ “ଲିଟିଲ୍ ବଏ” ନାମକ ୟୁରେନିୟମ୍ ବୋମା ପକାଇଥିଲା । ମାତ୍ର ଦୁଇଟି ବୋମାରେ ପ୍ରାୟ ଏକଲକ୍ଷ ଚାଳିଶ ହଜାର ଲୋକଙ୍କ ଜୀବନ ଯାଇଥିଲା । ଆମେରିକାର ନାଗାସାକିରେ ଯେତେବେଳେ ଏହି ପରମାଣୁ ବୋମା ପଡିଥିଲା ଏହାର ୪୩ ସେକେଣ୍ଡ ପରେ ଭୂମିରୁ ୧୫୪୦ ଫୁଟ୍ ରେ ହିଁ ବୋମାଟି ଫାଟିଥିଲା । ବିସ୍ଫୋରଣ ପରେ ୨୧ କିଲୋଟନ୍ ଟି.ଏନ୍ .ଟି ଭଳି ଧମାକା ହୋଇଥିଲା । ଏହି ଧମାକାରେ ପ୍ରଥମେ ୬୫୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ବିଷାକ୍ତ ଧୂଆଁର ସଂସ୍ପର୍ଶରେ ଆସି ଅନେକ ଲୋକ ରୋଗାଗ୍ରସ୍ତ ହେଲେ । ୧୯୪୫ ଶେଷବେଳକୁ ଏହି ବୋମା ବିସ୍ପୋରଣରେ ମୃତକଙ୍କ ସଂଖ୍ୟା ୮୦ ହଜାର ପହଁଚିଲା ।
କ’ଣ ଥିଲା ଇତିହାସ ?
ସବୁ ଶକ୍ତିଶାଳୀ ଦେଶ ବିଶ୍ୱବିଜୟୀ ହେବାକୁ ଚାହେଁ । ଏହି ସ୍ୱପ୍ନ ହିଟଲର୍ ମଧ୍ୟ ଦେଖିଥିଲେ । ୧୯୩୯ ସେପ୍ଟେମ୍ବର ୧ ରେ ପୋଲେଣ୍ଡରେ ହଠାତ୍ ଆକ୍ରମଣ କରି ହିଟଲର୍ ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ । ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ମଧ୍ୟ କୁହାଯାଏ । ଉତ୍ସାହରେ ଆସି ହିଟଲର୍ ୨୨ ଜୁନ୍ , ୧୯୪୧ ରେ ସୋଭିୟତ୍ ସଂଘ (ଋଷ୍) ସହ ଆକ୍ରମଣ କରିବାକୁ ଅଗ୍ରସର ହୋଇଗଲେ । ଜାପାନ ମଧ୍ୟ ଡିସେମ୍ବର ୭ , ୧୯୪୧ ରେ ପ୍ରଶାନ୍ତ ମହାସାଗର ସ୍ଥି୍ତ “ପର୍ଲ ହାର୍ବର” ଉପରେ ଲଗାତାର ଫାୟାରିଙ୍ଗ୍ କରି ଆମେରିକାକୁ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଥିଲା ।