ଝାଡ଼ଖଣ୍ଡ ଚାଏବସାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି । ସହିଦ୍ ଓଡ଼ିଆ ଯବାନଙ୍କ ନାଁ ସୁଶାନ୍ତକୁମାର ଖୁଣ୍ଟିଆ ଓ ଘର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାଯାଇଛି । ପଶ୍ଚିମ ସିଂହଭୂମ ଜିଲାର କୋଲହାନ ଜଙ୍ଗଲର ଗୋଇଲକେରା ପୁଲିସ ଥାନା ଅନ୍ତର୍ଗତ ହାତିବୁରୁ ଜଙ୍ଗଲ ନିକଟସ୍ଥ ସୋସୋପି ଗ୍ରାମ ନିକଟରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସିଆରପିଏଫ ୬୦ ବାଟାଲିୟନର ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ବଳ ପକ୍ଷରୁ ଆଖିବୁଜା ଗୁଳିଚାଳନା ପରେ ମାଓବାଦୀ ଜଙ୍ଗଲ ପାହାଡ଼ର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲେ। ଯବାନମାନେ ଆହତ ସାଥି ଯବାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟିଂ କରାଯାଇ ରାଞ୍ଚି ହାସପାତାଳକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହତ ଅନ୍ୟ ଜଣେ ଯବାନ ମୁନାଲାଲ ଯାଦବଙ୍କ ଘର ଉତ୍ତରପ୍ରଦେଶରେ ବୋଲି ସୂଚନା ମିଳିଛି। ମାଓ ହମଲାରେ ସହିଦ ସୁଶାନ୍ତଙ୍କ ପରିବାରରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସହିଦ ସୁଶାନ୍ତଙ୍କୁ ମରଣ ଏମିତି ବେଳରେ ଛୁଇଁଛି ଯେ, କାନ୍ଦିବାକୁ କେହି ନାହାନ୍ତି। କିଛି ବର୍ଷ ଅନ୍ତରରେ ଡକାଡ଼କି ହୋଇ ବାପା ଓ ୨ ଭାଇ ସ୍ୱର୍ଗବାସ କରିଛନ୍ତି। ବଡ଼ଭାଇ CRPFରେ ଥିଲେ, ସୁଶାନ୍ତଙ୍କ ପରି ସହିଦ ହୋଇଛନ୍ତି। ବାପା ମଧ୍ୟ କିଛି ଦିନ ତଳେ ସ୍ୱର୍ଗାରୋହଣ କରିଛନ୍ତି। ଆଉ ଜଣେ ଭାଇ କ୍ୟାନସରରେ ପୀଡ଼ିତ ହୋଇ ମୃତ୍ୟ ବରଣ କରିଛନ୍ତି। ମା’ ଏବେ ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି। ମା’ଙ୍କ ପାଖେ ଅଛନ୍ତି ସହିଦ ସୁଶାନ୍ତଙ୍କର ଜଣେ ଭଉଣୀ। ଏଏନ୍ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ଅଛନ୍ତି। ଏବେ ସୁଶାନ୍ତଙ୍କ ଆନନ୍ଦପୁର ଘରେ କେହି ନାହାନ୍ତି।
ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ବିଷୟରେ ଜାଣି ସେ ବହୁତ ଦୁଃଖିତ ବୋଲି ଟ୍ବିଟ ବାର୍ତ୍ତାରେ କହିଛନ୍ତି । ମାଟି ମା’ର ସେବାରେ ସୁଶାନ୍ତଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।ଆଜି ସୁଶାନ୍ତଙ୍କ ଜନ୍ମସ୍ଥାନକୁ ତାଙ୍କ ପାର୍ଥିବ ଶରୀର ଆସିବ ଓ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ବୈତରଣୀ ରାଜଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।