ଆଜି ଠାରୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସୁସଜ୍ଜିତ ଭାରତ ମଣ୍ଡପମ୍ରେ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ମଣ୍ଡପମ୍ରେ ଅତିଥିମାନଙ୍କ ଆଗମନ ହୋଇଛି। ଭାରତ ମଣ୍ଡପମ୍ରେ ଏକାଠି ହୋଇଛନ୍ତି ବିଶ୍ୱନେତା। ଆଜି ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ଥିବା ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଛନ୍ତି। ସମସ୍ତ ଅତିଥିଙ୍କ କରମର୍ଦ୍ଧନ କରି ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ।
ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ ସମ୍ବୋଧନ ଦେଇ କହିଛନ୍ତି, ବିଶ୍ୱରେ ସଂପ୍ରତି ବିଶ୍ୱାସର ନୂଆ ସଙ୍କଟ ଦେଖା ଦେଇଛି। ବିଶ୍ୱାସର ଏହି ସଙ୍କଟକୁ ଦୂର କରାଯାଇ ପାରିବ। ଏକାଠି ହେଲେ ସବୁ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏବେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ ଆସିଛି। ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।