ଆସିବ କି ଆଉ ଏକ ବାତ୍ୟା ? ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ପରେ ଏଭଳି କିଛି ଆଶଙ୍କା ବଢ଼ିଛି। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି। ସେପ୍ଟେମ୍ବର ୨୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଓ ପରେ ବାତ୍ୟାର ରୂପ ନେଇପାରୋ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଲଘୁଚାପ ବାତ୍ୟାରେ ପରିଣତ ହେବାକୁ ପାଗ ଅନୁକୂଳ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୫ ଦିନ ପୂର୍ବରୁ ହୋଇଥିବା ଆକଳନରେ ଏଭଳି କିଛି ପୂର୍ବାନୁମାନ କରାଯାଇଛି। ତା’ସହ ଅନ୍ୟ କିଛି ପାଣିପାଗ ମଡେଲ୍ ବି ଏନେଇ ସୂଚନା ଦେଇଛି। ତେବେ ଏହାର ପ୍ରଭାବ ଓ ଗତିପଥ କ’ଣ ରହିବ ତାହା ଏଯାଏ ଜଣାପଡ଼ିନି।ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି। ପଶ୍ଚିମା ବାୟୁ ସହ ଜଡ଼ିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ତାରିଖ ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏହା ଓଡ଼ିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡ଼ୁଛି।ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ମଧ୍ୟ ଏଥିରେ ସହମତ ଥିବା ସୂଚାଉଛି। ଆଇଏମ୍ଡିର ସୂଚନା ମୁତାବକ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦ୍ୱିତୀୟ ସପ୍ତାହ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତ କିମ୍ବା ‘ବାତ୍ୟା’ରେ ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ପାଇଁ ଅକ୍ଟୋବର ବାତ୍ୟା ଋତୁ ହୋଇଥିବା ବେଳେ ୧୯୯୯ ମହାବାତ୍ୟା, ୨୦୧୩ ମସିହାର ଫାଇଲିନ୍ ବାତ୍ୟା ଓ ବାତ୍ୟା ସିତ୍ରାଙ୍ଗ ଆଦି ଏହି ଅକ୍ଟୋବର ମାସରେ ହିଁ ହୋଇଛି।