ବନ୍ଦେ ଭାରତ ଟ୍ରେନ୍’ ଯୋଗେ ଦେଶର ପ୍ରତ୍ୟେକ ଅଞ୍ଚଳକୁ ସଂଯୋଗ କରିବା ଲାଗି ଆଉ ବେଶୀ ଦିନ ଲାଗିବ ନାହିଁ ବୋଲି ଆଜି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ୯ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ହେଉଛି ଆଧୁନିକ ସଂଯୋଗ ଓ ବେଗ ଭିତ୍ତିଭୂମି ବିକାଶର ଦୃଷ୍ଟାନ୍ତ। ଏହି ବନ୍ଦେ ଭାରତ ଟ୍ରେନ୍ ସବୁ ନୂଆ ଭାରତ ଓ ତା’ର ବିଶ୍ବାସର ଦୃଷ୍ଟାନ୍ତ। ଏ ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍ରେ ୧.୧୧ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କଲେଣି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି।ସେ କହିଛନ୍ତି, ଗୋଟିଏ ସହରରୁ ଆଉ ଗୋଟାଏ ସହରକୁ ଯିବା ନିମନ୍ତେ ଯେଉଁମାନଙ୍କ ପାଖରେ ସମୟ କମ୍ ଅଛି, ସେମାନଙ୍କ ପାଇଁ ଏ ଟ୍ରେନ୍ ଖୁବ୍ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବେଗ, ଭିତ୍ତିଭୂମି ବିକାଶର ପରିମାଣ ୧୪୦ କୋଟି ଭାରତୀୟଙ୍କ ଆକାଙ୍କ୍ଷାର ସମକକ୍ଷ ହୋଇପାରିଛି। କେନ୍ଦ୍ର ସରକାର ମଧ୍ୟ ଭାରତୀୟ ରେଳର ବଜେଟ୍ ବୃଦ୍ଧି କରିଛନ୍ତି। ସରକାର ‘ମଲ୍ଟି-ମୋଡାଲ୍’ ସଂଯୋଗ ନିମନ୍ତେ ବି କାର୍ଯ୍ୟ ଚଳାଇଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ୯ଟି ବନ୍ଦେ ଭାରତ ଏକ୍ସ୍ପ୍ରେସ୍ ଟ୍ରେନ୍ଗୁଡ଼ିକ ହେଉଛି: ‘ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘ତିରୁନେଲବେଲି-ମଦୁରାଇ-ଚେନ୍ନାଇ ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘ହାଇଦ୍ରାବାଦ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘ବିଜୟୱାଡ଼ା-ଚେନ୍ନାଇ (ରେନିଗୁଣ୍ଟା ଦେଇ) ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘ପାଟନା-ହାଓଡ଼ା ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘କସରଗୋଡ଼-ତିରୁଅନନ୍ତପୁରମ୍ ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘ରାଉରକେଲା-ଭୁବନେଶ୍ବର-ପୁରୀ ବନ୍ଦେ ଭାରତ ଏକ୍ସ୍ପ୍ରେସ୍’, ‘ରାଞ୍ଚି-ହାଓଡ଼ା ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ଓ ‘ଜାମନଗର-ଅହମଦାବାଦ ବନ୍ଦେ ଭାରତ ଏକ୍ସ୍ପ୍ରେସ୍’।