ପୁଣି ଅକ୍ଟୋବରରେ ବାତ୍ୟା ଆସୁଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସହ ଉତ୍ତର ଓ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ସକ୍ରିୟ ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ସକ୍ରିୟ ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଛି। ପାରାଦୀପଠୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ। ଆଗାମୀ ୧୮ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା। ବାତ୍ୟା ବାଂଲାଦେଶ ମୁହାଁ ହେବା ସମ୍ଭାବନା। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୨୫ରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ। ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଆଶାଙ୍କା ପ୍ରକାଶ ପାଇଛି।
ରବିବାର ବିଳମ୍ବିତ ରାତି କିମ୍ବା ସୋମବାର ଗଭୀର ଅବପାତ ରୂପ ନେବା ପରେ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି, ଅବପାତ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ। ସୋମବାର ମଧ୍ୟରାତିି ସୁଦ୍ଧା ଗଭୀର ଅବପାତଟି ଦୁର୍ବଳ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏହା ବାତ୍ୟା ରୂପ ନେବାବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୮୦କି.ମି ବହିପାରେ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ ଏବଂ ରାଜ୍ୟରେ ବର୍ଷାର ମାତ୍ରା ମଧ୍ୟ ବିଶେଷ ରହିବ ନାହିଁ।