କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ।
ଭୋରୁ କୁମାରୀମାନେ ଉଠି ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରିଛନ୍ତି, ଆଞ୍ଜୁଳି ଟେକିଛନ୍ତି । ତା ସହିତ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସିଛନ୍ତି। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ରାତି ପାହିଲେ କୁମାର ପୂର୍ଣ୍ଣିମା । କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଅର୍ଥାତ୍ ଚଳିତ ବର୍ଷ ଦିନରେ ହେବ କୁମାର ପୂର୍ଣ୍ଣିମା ।୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।
ଗ୍ରହଣର ସ୍ପର୍ଶ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରି ୧ ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ଅକ୍ଟୋବର ୨୮ ତାରିଖ ଅପରାହ୍ନ ୪ ଘଟିକା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ୨୯ ତାରିଖ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।