ଦାମୀ ମଣିଷଙ୍କ ଦାମୀ ଗାଡ଼ି ଧକ୍କାରେ ଚାଲିଗଲା ୨୪ ବର୍ଷୀୟ ଯୁବତୀଙ୍କ ଜୀବନ । ୪ ଦିନ କାଳ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ଲୋପାମୁଦ୍ରା । ରାଜଧାନୀର ବହୁଚର୍ଚ୍ଚିତ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଲୋପାମୁଦ୍ରା । ସୂଚନା ଅନୁସାରେ, ଗତ ୩୧ ତାରିଖରେ ପାୱାର ହାଉସ ଛକ ନିକଟରେ ଏକ ଦାମୀ ରେଞ୍ଜରୋଭର ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅବସରପ୍ରାପ୍ତ ଯବାନ କାହ୍ନୁଚରଣ ଏବଂ ୨୪ ବର୍ଷୀୟ ଲୋପାମୁଦ୍ରା ଗୁରୁତର ଆହତ ହୋଇଥିଲେ । ଆହତ ଦୁଇଜଣଙ୍କୁ କଟକର ଏକ ଡାକ୍ତରଖାନାରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଉଥିଲା । ତେବେ ୪ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ଗତକାଲି ଲୋପାମୁଦ୍ରା ଆଖିବୁଜିଛନ୍ତି । ଅନ୍ୟପକ୍ଷରେ କାହ୍ନୁଚରଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିବା ଜଣାପଡ଼ିଛି ।
ତେବେ ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛିା । ଗାଡ଼ିଟି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ବର୍ତ୍ତମାନ ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସଙ୍କ ଭାଇ ବିଶାଳ ନିର୍ଦ୍ଦେଶକ ଥିବା କମ୍ପାନୀର ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ କାହ୍ନୁଚରଣଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକତା ଥିବାରୁ ସେହି ଦାମୀ ମଣିଷଙ୍କୁ ମାନବିକତା ଦେଖାଇ କିଛି ସାହାଯ୍ୟ ପାଇଁ ଅପିଲ କରିଥିଲେ ତାଙ୍କ ଭାଇ । ହେଲେ ତାହା ମଧ୍ୟ ସେମାନଙ୍କୁ ମିଳିନାହିଁ ।