କମଲ ହାସନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁମୁଖୀ ସୁପରଷ୍ଟାର। ସେ କେବଳ ଜଣେ ଦକ୍ଷ ଅଭିନେତା ନୁହଁନ୍ତି ବରଂ ଜଣେ ଗାୟକ, ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ନିର୍ମାତା ମଧ୍ୟ। ସେ ନିଜ କ୍ୟାରିୟରରେ ପ୍ରାୟ ସମସ୍ତ ସାଉଥ୍ ଭାଷାରେ କାମ କରିଛନ୍ତି। କେବଳ ଏତିକି ନୁହେଁ କମଲ ହାସନ ଅନେକ ହିନ୍ଦୀ ଚଳଚ୍ଚିତ୍ରର ଅଂଶ ମଧ୍ୟ ହୋଇଛନ୍ତି।କାମର କଥା କହିବାକୁ ଗଲେ କମଲ ହାସନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ବିକ୍ରମ’ରେ ଦେଖିବାକୁ ମିଳିଥିଲା। ୬୯ ବର୍ଷୀୟ ଅଭିନେତା ଏଥିରେ ଜବରଦସ୍ତ ଅଭିନୟ କରିଥିଲେ ଏବଂ ତାଙ୍କ ଆକ୍ସନ୍ ଅବତାର ସହିତ ପ୍ରଶଂସକମାନଙ୍କ ହୋସ୍ ଉଡ଼ାଇ ଦେଇଥିଲେ। ଏହି ଚଳଚ୍ଚିତ୍ରଟି ୪୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା।କମଲ ହାସନ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ରୀନିବାସନ ଜଣେ ଓକିଲ ଥିଲେ। କମଲ ହାସନଙ୍କ ନାଁ ପ୍ରଥମେ ପାର୍ଥସାରଥୀ ଥିଲା। ପରେ ପିତା ତାଙ୍କ ନାଁକୁ ବଦଳାଇ କମଲ ହାସନ ରଖିଦେଇଥିଲେ।
୪ବର୍ଷ ବୟସରେ ସେ ଫିଲ୍ମ କରିବା ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମ କାଲାଥୁର କାନ୍ନାମ୍ମା ଫିଲ୍ମରେ ଶିଶୁ କଳାକାରଭାବେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ସେ ରାଷ୍ଟ୍ରପତି ଆୱାର୍ଡ଼ ପାଇଥିଲେ। ବର୍ତ୍ତମାନ କମଲ ହାସନଙ୍କୁ ‘କଲ୍କୀ ୨୮୯୮ ଏଡି’ରେ ଦେଖିବାକୁ ମିଳିବ। ପ୍ରଭାସଙ୍କ ଏହି ଚଳଚ୍ଚିତ୍ରରେ କମଲ ହାସନ ଭିଲେନ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଅଭିନେତାଙ୍କର ଫିଲ୍ମ ‘ଇଣ୍ଡିଆନ୍ ୨’ ମଧ୍ୟ ଅଛି, ଯାହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ.କମଲ ହାସନ ତାଙ୍କ ଚଳଚ୍ଚିତ୍ରରେ ଦକ୍ଷତା ପାଇଁ ଜଣାଶୁଣା। ସେ ପ୍ରାୟତଃ ନିଜ ଚେହେରା ସହିତ ପରୀକ୍ଷା କରନ୍ତି। ‘ଚାଚି ୪୨୦’, ‘ବିଶ୍ୱରୂପମ୍’ ଏବଂ ‘ଇଣ୍ଡିଆନ୍’ ଭଳି ଅନେକ ଚଳଚ୍ଚିତ୍ର ଅଛି, ଯେଉଁଥିରେ କମଲ ହାସନଙ୍କ ଚମତ୍କାର କାମ ଦେଖିବାକୁ ମିଳେ।