କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ସମସ୍ତ ପରିବାର ପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ଗାଁରେ ୭ ଶହ ପରିବାରର ୪ ହଜାର ଲୋକ ବାସ କରୁଥିବା ବେଳେ ସମସ୍ତେ ପରିବା ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଶିବନାରାୟଣପୁର ଗାଁ ଚାରିପଟକୁ ଘେରି ରହିଛି ଚାଷଜମି। ନଭେମ୍ବର ମାସରେ ଧାନ ଅମଳ ପରେ ଗାଁର ସମସ୍ତ ପରିବାର ଲାଗିପଡ଼ନ୍ତି ପରିବା ଚାଷରେ। ଉଭୟ ପୁରୁଷ ଓ ମହିଳା ମାଟି ଖୋଳିବାଠାରୁ ଆରମ୍ଭ କରି ଚାରାରୋପଣ, କୋଡ଼ାଖୋସା ଓ ପାଣି ଦେଇଥାନ୍ତି। ବାଇଗଣ, ଟମାଟୋ, ଭେଣ୍ଡି, ଜହ୍ନି, କଲରା, କାକୁଡ଼ି, ଗାଜର, ପୋଟଳ, ବୋଇତାଳୁ, କଖାରୁ, ଫୁଲକୋବି, ବନ୍ଧାକୋବି ଭଳି ପରିବା ସାଙ୍ଗକୁ ଲେଉଟିଆ, କୋଶଳା ଆଦି ଶାଗ ଲଗାଇଛନ୍ତି। ଏଠାରୁ ଉତ୍ପାଦିତ ହେଉଥିବା ପରିବା ସ୍ଥାନୀୟ ଅଞ୍ଚଳ ସମେତ ଆନନ୍ଦପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ରାଞ୍ଚି, କୋଲକାତା ଆଦି ଅଞ୍ଚଳକୁ ଯାଉଥିବା ଗ୍ରାମବାସୀ କହିଛନ୍ତି।ଗାଁର ହାତ ଗଣତି ୧୦/୧୨ଜଣ ଲୋକ ଚାକିରି କରିଥିବାବେଳେ ଅନ୍ୟମାନେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ବହୁ ଶିକ୍ଷିତ ଯୁବକ ଉଚ୍ଚଶିକ୍ଷା ପରେ ଚାକିରି ପଛରେ ନ ପଡ଼ି ଉନ୍ନତ ପ୍ରଣାଳୀରେ ପରିବା ଚାଷ କରି ଭଲ ଦୁଇପଇସା ରୋଜଗାର କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ସମସ୍ତେ ପରିବା ଚାଷ କରି ଭଲ ଦୁଇପାଇସା ରୋଜଗାର କରୁଛନ୍ତି। ଦୁଇ ଏକର ଚାଷଜମିରେ ପରିବା ଚାଷ କରି ବର୍ଷକୁ ଦୁଇରୁ ତିନି ଲକ୍ଷ ଟଙ୍କା ଆୟ କରୁଛନ୍ତି।ଏବେ ରାଞ୍ଚି, କୋଲକାତା, ବାଲେଶ୍ୱର, ବଡ଼ବିଲରୁ ବ୍ୟବସାୟୀମାନେ ଟ୍ରକ୍ ଧରି ଆସି ପରିବା ନେଇ ଯାଉଥିବାରୁ ସେମାନଙ୍କୁ ଆଉ ବଜାରକୁ ଆସିବାକୁ ପଡ଼ୁନି ବୋଲି ଚାଷୀମାନେ କହିଛନ୍ତି।