ଆମ ଦେଶରେ ପ୍ରତିବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଇଆସୁଛି। ୧୮୬୩ ମସିହା ଜାନୁଆରି ୧୨ ତାରିଖରେ ଜନ୍ମିତ ସ୍ବାମୀଜୀ ହେଉଛନ୍ତି ଭାରତୀୟ ଇତିହାସର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ଯିଏ ବେଦାନ୍ତ ଓ ଯୋଗ ସମ୍ବଳିତ ହିନ୍ଦୁ ଦର୍ଶନର ପ୍ରଚାରପ୍ରସାର କରିଥିଲେ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ସେ ହିନ୍ଦୁଧର୍ମକୁ ଏକ ପ୍ରମୁଖ ବିଶ୍ବ ଧର୍ମ ରୂପେ ଉପସ୍ଥାପନ କରିଥିଲେ। ତାଙ୍କ ନେତୃତ୍ବରେ ସାମାଜିକ ନ୍ୟାୟ ଓ ସମାଜରେ ନାରୀମାନଙ୍କ ସ୍ଥିତି ପାଇଁ ଲଢ଼େଇ ହୋଇଥିଲା। ସମାଜରେ ନିମ୍ନଜାତିର ଲୋକଙ୍କର ସ୍ଥିତିକୁ ଉପରକୁ ଉଠାଇବା ସପକ୍ଷରେ ସେ ମତ ରଖିଥିଲେ।ଏହି ଦୂରଦୃଷ୍ଟିସଂପନ୍ନ ବ୍ୟକ୍ତିତ୍ବଙ୍କ ଜନ୍ମଦିନକୁ ଭାରତ ସରକାର ୧୯୮୪ ମସିହାରୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବା ସହ ଏହିଦିନ ସ୍ବାମୀଜୀଙ୍କର ଦର୍ଶନ ଓ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ଏହା ଦେଶର ଯୁବପିଢ଼ିଙ୍କୁ ସ୍ବାମୀଜୀଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ଉତ୍ତରାଧିକାରକୁ ଆଗକୁ ବଢ଼ାଇ ନେବା ପାଇଁ ପ୍ରୋତ୍ସାହିତ କରିଥାଏ। ରାଷ୍ଟ୍ରର ଭବିଷ୍ୟତ ଗଠନରେ ଯୁବଗୋଷ୍ଠୀର ଭୂମିକା ଓ ଗୁରୁତ୍ବକୁ ଚିହ୍ନିବା ଲାଗି ଏହା ଏକ ମଞ୍ଚ ଭାବେ କାମ କରି ଆସୁଛି। ମହାନ ଆଧ୍ୟାତ୍ମିକ ମନୀଷୀ ରାମକୃଷ୍ଣ ପରମହଂସଙ୍କ ଅନୁଗାମୀ ସ୍ବାମୀ ବିବେକାନନ୍ଦ ୧୮୯୭ ମସିହାରେ ରାମକୃଷ୍ଣ ମିସନ୍ ପ୍ରତିଷ୍ଠା କରିଥିଲେ, ଯେଉଁ ଧାର୍ମିକ ହିନ୍ଦୁ ସଂଗଠନ ଆଧ୍ୟାତ୍ମିକ ଶିକ୍ଷାଦାନ ଦିଗରେ କାମ କରି ଆସୁଛି।