ଜାନୁଆରୀ 18 ତାରିଖରୁ 4 ଦଫା ଦାବି ନେଇ ଆନ୍ଦୋଳନରେ ବସି ରହିଛନ୍ତି ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପ୍ରାଣୀ ଚିକିତ୍ସା ଠପ ହୋଇପଡିଛି । ଏହାର ପ୍ରତିବାଦରେ ଗୃହ ପାଳିତ ପଶୁଙ୍କୁ ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଦୀର୍ଘ ୨୨ ଦିନ ହେଲା ୪ ଦଫା ଦାବିରେ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଯାଇ କଳା ବ୍ୟାଜ୍ ପରିଧାନ କରି ଧାରଣାରେ ବସିଛନ୍ତି । ଫଳରେ ଚିକିତ୍ସା ନ ପାଇ ରୋଗାକ୍ରାନ୍ତ ଗୃହପାଳିତ ପଶୁ, ପକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡିଛି । ଅନ୍ୟପଟେ ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବି ପୂରଣ ନକରିଛନ୍ତି, ସେତେ ଦିନ ଯାଏଁ ଧାରଣାରୁ ଓହରିବେ ନାହିଁ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି । ସେପଟେ ଦୁର୍ଦ୍ଦିନରେ ପଶୁ ପକ୍ଷୀଙ୍କ ସ୍ୱାସ୍ଥାବସ୍ଥା । କେଉଁଠି ଚିକିତ୍ସା ଅଭାବରୁ ପଶୁ ପକ୍ଷୀ ମୃତ୍ୟୁ ବରଣ କଲେଣି ତ କେଉଁଠି ପଶୁପ୍ରେମୀ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରିନପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବାକୁ ବାଧ୍ୟ ହୋଇଛନ୍ତି । ସ୍ଥିତିକୁ ଦେଖିଲେ ଲାଗୁଛି ସରକାର ସମାଧାନର ବାଟ ବାହାର କରିବା ବଦଳରେ କଥା କହିପାରୁନଥିବା ନିରୀହ ପଶୁ ପକ୍ଷୀଙ୍କ ଜୀବନ, ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି ।