ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପଣ୍ଡା । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ସୁରେନ୍ଦ୍ର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନରେ ବିଜେଡ଼ି ମିଶିଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସୁରେନ୍ଦ୍ର, ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଭୟ ନେତା ଦଳକୁ ସ୍ବାଗତ କରିଛନ୍ତି ।
ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସୁରେନ୍ଦ୍ର ପଣ୍ଡାଙ୍କର ଆଜି ହେଉଛି ଘରବାହୁଡ଼ା । ସେ ସ୍ବର୍ଗତ ଅଶୋକ ଦାସ ଏବଂ କଳ୍ପତରୁ ଦାସଙ୍କ ଘନିଷ୍ଠ ସହଯୋଗୀ ଓ ତାଙ୍କ ପରିବାରର ସଦସ୍ୟ ଥିଲେ । ବିଗତ ଦିନରେ ସେ ଦଳ ପାଇଁ ବହୁତ ପରିଶ୍ରମ କରିବା ସହ ଯାଜପୁର ଜିଲ୍ଲାର ସେ ଜଣେ ସଚ୍ଚୋଟ ଓ ସ୍ବାଭିମାନ କର୍ମୀ ଥିଲେ । ମୁଁ ଆଜି ସୁରେନ୍ଦ୍ର ପଣ୍ଡା ଓ ତାଙ୍କ ସହ ବିଜେଡ଼ିରେ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ସ୍ୱାଗତ ଜଣାଉଛି । ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଯାଜପୁର ବିଶେଷକରି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ।ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ନେତା ସୁରେନ୍ଦ୍ର ପଣ୍ଡା କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ଗ୍ରହଣ କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ସାଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।