ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ସହ ୯ଦିନ ଧରି ଚାଲିଥିବା ଖଣ୍ଡଗିରି କୁମ୍ଭମେଳା ଶନିବାର ଶେଷ ହୋଇଛି। ବିଦାୟ ନେଇଛନ୍ତି ସାଧୁସନ୍ଥ। କାହିଁ କେଉଁ କାଳରୁ ମାଘ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏପରି ମହାଯଜ୍ଞ ଅନନ୍ତ ଗୁମ୍ଫା ସମ୍ମୁଖରେ ଆୟୋଜିତ ହୋଇଆସୁଛି। ମହାଯଜ୍ଞର ସ୍ବତନ୍ତ୍ର ମହତ୍ୱ ରହିଥିବାରୁ ଶେଷ ଦିନରେ ଝିପି ଝିପି ବର୍ଷା, କୋହଲା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା।ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ନାଗା ବାବାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶୀ, ମଥୁରା, ବୃନ୍ଦାବନ, ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ବାମୀ, ଷ୍ଟାଣ୍ଡିଙ୍ଗ ବାବା, ରୁଦ୍ରାକ୍ଷ ବାବା। ତପଭୂମି ଖଣ୍ଡଗିରିରେ ଥିବା ୧୦ରୁ ଅଧିକ ଆଶ୍ରମରେ ଚାଲିଥିବା ନବଦିନାତ୍ମକ ସଂକୀର୍ତ୍ତନ, ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ ମଧ୍ୟ ସମାପନ ହୋଇଛି। ଏଥିସହ କୁମ୍ଭମେଳାର ଶେଷ ଦିନ ହୋଇଥିବାରୁ ସକାଳରୁ ରାତି ତମାମ ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସୁସ୍ବାଦୁ ଖାଦ୍ୟର ମଜା ନେବା ସହ ଆଲୋକ ମାଳାରେ ଝଲସି ଉଠୁଥିବା ଖଣ୍ଡଗିରିରେ ମେଳା ଓ ଯାତ୍ରାର ମଜା ନେଉଛନ୍ତି ଦର୍ଶକ। ଖଣ୍ଡଗିରି ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ଆରମ୍ଭ ହୋଇଛି। ନୂଆ ନାଟକ ଦେଖିବାକୁ ଶନିବାର ଲୋକଙ୍କ ଭିଡ଼ ବେଶ୍ ଥିଲ। …