ଡହ ଡହ ଖରାରେ ତରଭୁଜ ଖାଇବାକୁ କିଏ ବା ଭଲ ନ ପାଏ । ଆଉ ଖରା ଦିନ ଆରମ୍ଭରୁ ବଜାରରେ ତରଭୁଜ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି । ରାଜ୍ୟରେ ଏବେ ପାରଦ ଆସ୍ତେ ଆସ୍ତେ ବଢି ଚାଲିଥିବା ବେଳେ ସହର ତଥା ଗ୍ରାମାଂଚଳରେ ତରଭୁଜର ଚାହିଦା ମଧ୍ୟ ସେଇ ଆନୁପାତରେ ବଢିବାରେ ଲାଗିଛି । ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ି ପ୍ରତି ଛକ, ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏହି ଚାଷ ହୋଇଛି। ଚାଷ ପାଇଁ ସରକାରୀ ବିହନରେ ସବ୍ସିଡି ଯୋଗାଇ ଦିଆଯାଉଛି। ତେବେ ଜଳସେଚନ ଓ ତାଲିମ ବ୍ୟବସ୍ଥା ନ ଥିବାରୁ ଏହି ଅର୍ଥକରୀ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ତରଭୁଜ କେବଳ ଚଟ୍ପଟି ଖାଦ୍ୟ ନୁହେଁ, ବରଂ ଏଥିରେ ଭରପୂର ପ୍ରୋଟିନ ମିଳୁଛି ବୋଲି ଚାଷୀ, ବ୍ୟବସାୟୀ ଓ ଗବେଷକମାନେ ମତ ଦେଇଛନ୍ତି। ଗୋଟିଏ କପ ତରଭୁଜ ରସରେ ୧୫୪ ମିଲିଗ୍ରାମର ପୋଷକ ତତ୍ତ୍ୱ ରହିଛି। ଗୋଟିଏ ତରଭୁଜରେ ପ୍ରାୟ ୯୨% ପାଣି ରହୁଥିବାରୁ ଗରମରୁ ତ୍ରାହି ମିଳୁଛି। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ ଏ, ସି, ପୋଟାସିୟମ, ମାଗ୍ନେସିୟମ, ଜିଙ୍କ୍, କ୍ଲୋରୋଫିଲ, ଲାଇକୋପିନ, ଏମିନୋ ଏସିଡ, ଫେନୋଲିକ ଆଦି ତତ୍ତ୍ୱ ରହିଛି। ପ୍ରାୟ କ୍ଷେତ୍ରରେ ତରଭୁଜର ଚୋପା ଫୋପାଡ଼ି ଦିଆଯାଉଥିବା ଦେଖାଯାଉଛି। ତେବେ ଏହି ଚୋପାରେ ବ୍ଲଡପ୍ରେସର କମାଇବା ଶକ୍ତି ଥିବା ବେଳେ ଶରୀର ଓଜନ କମାଇବାରେ ସହାୟକ ହୋଇଥାଏ..ଚଳିତବର୍ଷ ତରଭୁଜ ଚାଷ ପାଇଁ ସବ୍ସିଡି ଦିଆଯାଇଛି। ପୂର୍ବରୁ ଏହି ଜିଲାରେ ମାତ୍ର ୨ ହଜାର ହେକ୍ଟର ଅଞ୍ଚଳରେ ତରଭୁଜ ଚାଷ ହେଉଥିବା ବେଳେ ଚଳିତ ବର୍ଷ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।