ଲୋକସଭା ନିର୍ବାଚନ ପାଇଁ ବିହାରରେ ଛିଡିଲା ସିଟ୍ ଭାଗବଣ୍ଟା । ଏନଡିଏ ଦଳମାନଙ୍କ ଭିତରେ ସିଟ୍ ସେୟାରିଂକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହେଇଛି । ମୋଟ ୪୦ଟି ଆସନ ମଧ୍ୟରୁ ବିଜେପି ସେଠାରେ ୧୭ଟି ଆସନରେ ଲଢିବାକୁ ନିଷ୍ପତ୍ତି ହେଇଛି । ଏଥିସହିତ ବିହାର ବିଜେପିର ପ୍ରଭାରୀ ବିନୋଦ ତାୱଡେ ପ୍ରେସମିଟ୍ କରି ଏନଡିଏ ମେଣ୍ଟ ଭିତରେ ସିଟ୍ ସେୟାରିଂ ଫର୍ମୁଲା ସହ ସବୁ ଦଳ ରାଜି ହେଇଥିବା ନେଇ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ବିହାରରେ ଏଥର ବିଜେପି ମୋଟ ୧୭ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ଦେବ । ସେହିପରି ଜେଡିୟୁ ୧୬ଟି ଆସନରେ ଲୋକସଭା ନିର୍ବାଚନ ଲଢିବ । ତା ସହ ଚିରାଗ ପାସୱାନଙ୍କ ଦଳ ୫ଟି, ଜିତନ ରାମ ମାଞ୍ଝୀଙ୍କ ହାମ ଓ ଉପେନ୍ଦ୍ର କୁଶବାହାଙ୍କ ଦଳ ଗୋଟିଏ ଲେଖାଏଁ ଆସନରେ ନିଜର ପ୍ରାର୍ଥୀ ଦେବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଶୁପତି ପାରସଙ୍କ ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ବି ସିଟ୍ ଦିଆଯାଇନି । କାହିଁକି ନା, କିଛି ଦିନ ତଳେ ସେ ମେଣ୍ଟ ଛାଡିବା ନେଇ ସଙ୍କେତ ଦେଇଥିଲେ, ଆଉ ତାଙ୍କ ପାଖରେ ବିକଳ୍ପ ଖୋଲା ଅଛି ବୋଲି କହିଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପଶୁପତି ପାରସଙ୍କ ଦଳକୁ ଗୋଟିଏ ବି ସିଟ୍ ଦେଇନି ଏନଡିଏ ।
ବିହାରରେ ୭ଟି ଚରଣରେ ନିର୍ବାଚନ ହେବାକୁ ଅଛି । ୧୯ ଏପ୍ରିଲ ସହିତ ୨୬ ଏପ୍ରିଲ, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ବିହାରରେ ଭୋଟ୍ ପଡିବାକୁ ଅଛି । ପ୍ରଥମ ଚରଣରେ ୪ଟି ସିଟ୍, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଚରଣରେ ୫ଟି ଲେଖାଏଁ ସିଟରେ ଭୋଟ୍ ପଡିିବ । ଏହାପରେ ଷଷ୍ଠ ଓ ସପ୍ତମ ଚରଣରେ ୮ଟି ଲେଖାଏଁ ସିଟରେ ଭୋଟ୍ ହେବ । ଗତ ବର୍ଷ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ବିହାରର ୪୦ଟି ଆସନରୁ ୩୯ଟି ଲୋକସଭା ଆସନ ଜିତିଥିଲା । ତେଣୁ ଏଥର ମଧ୍ୟ ସେହି ଲକ୍ଷ୍ୟରେ ରହିଛି ଏନଡିଏ ।