ମେଣ୍ଟକୁ ନେଇ ରାଜ୍ୟ ବିଜେପି ଏବଂ ବିଜେଡି ମଧ୍ୟରେ ୧୫ ଦିନ ଧରି ଉଦ୍ୟମ ହେଲା । ଦଳର କୌଣସି ନେତା ମୁହଁ ଖୋଲିଲେ ନାହିଁ । ଏହାପରେ ସ୍ପଷ୍ଟ ହେଲା ଯେ ମେଣ୍ଟ କଥାବାର୍ତ୍ତା ବିଫଳ ହୋଇଛି । ଏହାପରେ ବିଜୁ ଜନତା ଦଳ ବିଜେପି ବିରୋଧରେ ପ୍ରାର୍ଥୀ ଘୋଷଣା କଲା । ରାଜନୈତିକ ଭାବେ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଶେଷ ପର୍ୟ୍ୟାୟରେ । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୧୩ ମେ’ ମଧ୍ୟରେ ଚାରି ପର୍ୟ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ୧୧୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଉ ୩୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ନବୀନ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଞ୍ଜିଳି ଆସନରୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ ହେବେ । ପାଟିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଦ୍ଧରେ ସମ୍ବଲପୁରୁ ବିଜେଡି ପ୍ରାର୍ଥୀ କରିଛି । ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ହେଉଥିଲା କିନ୍ତୁ ନିଷ୍ପତ୍ି ସହଜ ନଥିଲା । ଗମ୍ଭୀର ବିଚାର-ବିମର୍ଷ ପରେ ନବୀନ ନିଜ ଦଳର ଲୋକପ୍ରତିନିଧିଙ୍କ ସହ ବୈଠକ କଳେ ଓ ଭୋଟରଙ୍କ ମୁଡ୍ କୁ ମାପିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସାର୍ବଜନୀନ ମଞ୍ଚରେ ପରସ୍ପରକୁ ପ୍ରଶଂସା କରିଛନ୍ତି । ଏହାପରେ ମେଣ୍ଟ ହେବା ନେଇ ଏକ ସମ୍ଭାବାନା ଦେଖାଯାଇଥିଲା । ମୋଦି ନବୀନଙ୍କୁ ନିଜର ବନ୍ଧୁ କହିଲେ ନବୀନ ମଧ୍ୟ ପ୍ରଧାନମନ୍ତ୍ୀିଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କଲେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପଠାଇବା ପାଇଁ ବିଜେଡି ବିଜେପିକୁ ସମର୍ଥନ ଦେଲା । ଏହାପରେ ୨୨ମାର୍ଚ୍ଚରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସରେ ଘୋଷଣା କଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଲୋକସଭାର ସମସ୍ତ ୨୧ଟି ଆସନ ଏବଂ ବିଧାନସଭାର ୧୪୭ ଆସନରେ ଏକାକୀ ନିର୍ବାଚନ ଲଢିବେ । ଏହାର ୪ ଘଣ୍ଟା ପରେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜ ଏକ୍ସ ଆକାଉଣ୍ଟରେ ଘୋଷଣା କଲେ ଯେ ବିଜେଡି ଓଡିଶା ଲୋକଙ୍କ ସମର୍ଥନରେ ସମସ୍ତ ୧୪୭ ବିଧାନସଭା ଏବଂ ସମସ୍ତ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟ ହାସଲ କରିବ ।
ଏହାପରେ ମେଣ୍ଟକୁ ନେଇ ଯେଉଁ ପଲିଟିକାଲ ସସ୍ପେନ୍ସ ଥିଲା ତାହାର ଅନ୍ତ ଘଟିଲା । ଗୋଟିଏ ପଟେ ଏବେ ବିଜେପି ଓଡିଶା ଅସ୍ମିତାକୁ ପ୍ରସଙ୍ଗ କରିଛି । ଅନ୍ୟପଟେ ବିଜେଡି ନବୀନଙ୍କ ଭାବମୂର୍ତ୍ତି ଓ ବିକାଶକୁ ପ୍ରସଙ୍ଗ କରିଛି । ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ଅନ୍ତ ଘଟିଲା ପରେ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଟାର୍ଗେଟ କରିଛନ୍ତି ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ବିରୋଧରେ ବିଜେପି ଏବଂ ବିଜେପି ବିରୋଧରେ ବିଜେଡି ଅଭିଯୋଗ କରିଛନ୍ତି । ୧୫ ଦିନର ମେଣ୍ଟକୁ ନେଇ ଚର୍ଚ୍ଚା ସଂପର୍କରେ ଉଭୟ ଦଳର ନେତା ନୀରବ ରହିଥିଲେ । ଏବେ ନେତା ଓ କର୍ମୀ ପରସ୍ପର ପରସ୍ପରକୁ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । କର୍ମୀ ବି ପଛରେ ନାହାନ୍ତି । ଉଭୟ ଦଳର କର୍ମୀ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି ନିର୍ବାଚନୀ ଯୁଦ୍ଧକୁ ସାମ୍ନା କରିବା ପାଇଁ । ଏହି ଯୁଦ୍ଧ ଡାକରାରେ କଂଗ୍ରେସ କିନ୍ତୁ ନିଜ ମେଣ୍ଟ ଦଳ ସହ ପଛରେ ଅଛି । ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ସେତେ ଦଳ ବଦଳ ବିଦ୍ରୋହ ଏବଂ ଅସନ୍ତୁଷ୍ଟ ନେତାଙ୍କ ଆବେଦନ, ପ୍ରତିବେଦନ ଏବଂ ବିଦ୍ରୋହର ଧ୍ୱନି ଶୁଣିବାକୁ ମିଳୁଛି ।