ଉଦଳା: ଦୁର୍ଘଟଣା ପରେ ଜଳିଗଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ଗୋଟିଏ ଗୋରୁ ଜଳି ଜୀବନ୍ତ ଦଗ୍ଧ । ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଗାଡ଼ିରେ ନିଆଁ ଲାଗି ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି। କପ୍ତିପଦା ଥାନା ପୋଡାଡିହା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ଗତକାଲି ରାତିରେ ଗୋରୁ ବୋଝେଇ ପିକଅପ୍ ଓଲଟି ପଡିବା ପରେ ନିଆଁ ଲାଗି ଯାଇଥିଲା । କଟୁରିଆ ଗାଁରୁ ଉଦଳା ଅଭିମୁଖେ ଆସୁଥିଲା ଗୋରୁ ବୋଝେଇ ଗାଡି । ଗାଡିରେ ମୋଟ ୮ଟି ଗୋରୁ ଥିବା ବେଳେ ଗୋଟିଏ ଜୀବନ୍ତ ଦଗ୍ଧ ହୋଇଛି । ୭ଟି ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୋରୁମାନଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା । ପିକଅପ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋରୁ ମାଫିଆମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ ଯିବା ସହିତ ମୃତ ଗୋରୁକୁ ଗାତ ଖୋଳି ପୋତି ଦେଇ ଚାଲିଯାଇଛନ୍ତି ।