ୱାଶିଂଟନ : ଆମେରିକାରେ ଶିଶୁଟିଏ ଜନ୍ମ ହେଲେ ଆମେରିକାର ନାଗରିକତ୍ବ ପାଇବା ନେଇ ଯେଉଁ ସାମ୍ବିଧାନିକ ଅଧିକାର ରହିଥିଲା ତାକୁ ଉଚ୍ଛେଦ କରିଦିଆଯାଇଛି। ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣର ପ୍ରଥମ ଦିନରେ ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କିତ ନିଷ୍ପତ୍ତି ରେ ସ୍ବାକ୍ଷର କରିଛନ୍ତି। ସୋମବାର ରାଷ୍ଟ୍ରପତି ଟ୍ରମ୍ପ ଏହି ଏକ୍ଜିକ୍ୟୁଟିଭ୍ ନିଷ୍ପତ୍ତିରେ ସ୍ବାକ୍ଷର କରିଥିବାବେଳେ ଏହା ଭାରତ ଓ ଅନ୍ୟ ରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ମନେହୋଇଛି। ଆମେରିକାର ନାଗରିକ ହୋଇ ନଥିବା ଦମ୍ପତିଙ୍କ ସନ୍ତାନ ଆମେରିକାରେ ଜନ୍ମ ଗ୍ରହଣ କଲେ ସେମାନେ ସ୍ବତଃ ସେଠାକାର ନାଗରିକତ୍ବ ପାଇଥାନ୍ତି। ମାତ୍ର ଟ୍ରମ୍ପ ସ୍ବାକ୍ଷର କରିଥିବା କାର୍ଯ୍ୟପାଳିକା ନିର୍ଦେଶ ଅନୁଯାୟୀ ଆମେରିକାରେ ଜନ୍ମ ଗ୍ରହଣ କରିଥିବା ଅଣ ଆମେରିକୀୟ ଦମ୍ପତିଙ୍କ ସନ୍ତାନ ସେଠାକାର ନାଗରିକତ୍ବ ପାଇପାରିବେ ନାହିଁ। ଆମେରିକାରେ ଜନ୍ମ ଗ୍ରହଣ କରୁଥିବା ସନ୍ତାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣେ ଯଦି ଆମେରିକୀୟ ହୋଇଥିବେ ତେବେ ଉକ୍ତ ସନ୍ତାନ ଆମେରିକାର ନାଗରିକତ୍ବ ପାଇପାରିବେ। ଅନ୍ୟଥା ସେମାନଙ୍କୁ ନାଗରିକତ୍ବ ମିଳିବ ନାହିଁ। ଜନ୍ମ ଗ୍ରହଣ କରିଥିବା ସନ୍ତାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣେ ଯଦି ଆମେରିକା ସେନାର କର୍ମଚାରୀ ହୋଇଥିବେ କିମ୍ବା ନ୍ୟାୟିକ ଭାବେ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇଥିବେ ସେ କ୍ଷେତ୍ରରେ ମଧ୍ୟ ଉକ୍ତ ସନ୍ତାନକୁ ଆମେରିକାର ନାଗରିକତ୍ବ ମିଳିବ।
ଆମେରିକାରେ ଜନ୍ମ ହେଉଥିବା ଅନ୍ୟ ଦେଶର ଦମ୍ପତିଙ୍କ ସନ୍ତାନଙ୍କୁ ପ୍ରାଦେଶିକ ସରକାର ନାଗରିକତ୍ବ ପ୍ରଦାନ କରିଆସୁଛନ୍ତି। ନୂଆ ନିର୍ଦେଶ ଅନୁଯାୟୀ ଏପରି ନାଗରିକତ୍ବ ପ୍ରଦାନ ବ୍ୟବସ୍ଥା ବନ୍ଦ କରାଯିବା ସହିତ ବାହାର ଦେଶରୁ ଆସି ବେଆଇନ ଭାବେ ବସବାସ କରୁଥିବା ନାଗରିକଙ୍କୁ ବିତାଡିତ କରାଯିବ। ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପରେ ଟ୍ରମ୍ପ ତାଙ୍କ ପ୍ରଥମ ସମ୍ବୋଧନରେ ଆମେରିକାରୁ ବେଆଇନ ଦେଶାଟନକାରୀଙ୍କୁ ବିତାଡିତ କରିବାକୁ ଘୋଷଣା କରିଥିଲେ। ଟ୍ରମ୍ପ ସ୍ବାକ୍ଷର କରିଥିବା ଏହି ନିର୍ଦେଶ ଦ୍ବାରା ଆମେରିକାରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ଭାରତୀୟ ପ୍ରଭାବିତ ହେବେ। କାରଣ ଭାରତର ଅନେକ ନାଗରିକ ଏବେ ଆମେରିକାରେ ପର୍ଯ୍ୟଟକ ଭିସା, ଛାତ୍ର ଭିସା ଓ କାମ କରିବା ଭିସାରେ ଅବସ୍ଥାନ କରୁଛନ୍ତି। ସେମାନେ ଆମେରିକାର ସ୍ଥାୟୀ ବାସିନ୍ଦା ନୁହନ୍ତି। ତେଣୁ ସେମାନଙ୍କ ସନ୍ତାନମାନେ ଆଗାମୀ ଦିନରେ ଆମେରିକାର ନାଗରିକତ୍ବ ପାଇପାରିବେ ନାହିଁ। ୨୦୨୪ ବର୍ଷର ରିପୋର୍ଟ ଅନୁଯାୟୀ ଆମେରିକାରେ ରହୁଥିବା ଭାରତୀୟ-ଆମେରିକୀୟଙ୍କ ସଂଖ୍ୟା ୫୪ଲକ୍ଷ। ଯାହା ଆମେରିକାର ମୋଟ ଜନସଂଖ୍ୟାର ୧.୪୭%। ଏହି ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ୩୪% ଆମେରିକାର ନାଗରିକତ୍ବ ପାଇଛନ୍ତି। ତେବେ ଆମେରିକାର ନାଗରିକତ୍ବ ପାଇବା ପାଇଁ ଅନ୍ୟ ବିକଳ୍ପ ରହିଛି। ତାହା ହେଉଛି ଜଣେ ନିଜକୁ ଆମେରିକା ସେନାରେ ସାମିଲ କରିବା, ଆମେରିକା ସ୍ଥାୟୀ ନାଗରିକଙ୍କୁ ବିବାହ କରିବା ଦ୍ବାରା ଆମେରିକାର ନାଗରିକତ୍ବ ପାଇପାରିବେ।