ପ୍ରତ୍ୟକ୍ଷ ରାଜନୀତିରୁ ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓହରି ଯାଇଛନ୍ତି। ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।୨୦ ଜାନୁଆରୀ ୧୯୬୫ରେ ଜନ୍ମ ହୋଇଥିବା ଅଚ୍ୟୁତାନନ୍ଦ ସାମନ୍ତ ଓଡ଼ିଶାର ଜଣେ ସାମଜିକ ଉଦ୍ୟୋକ୍ତା, ଶିକ୍ଷକ, ସମାଜସେବୀ ଏବଂ ରାଜନୀତିଜ୍ଞ । ଭୁବନେଶ୍ୱରରେ ଥିବା କିଟ୍ ବିଶ୍ୱବିଦ୍ୟାଳୟ (KIIT) ଏବଂ କିସ୍ ର (KISS) ସେ ପ୍ରତିଷ୍ଠାତା ଅଟନ୍ତି । ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ । ନିଜେ ପ୍ରତିଷ୍ଠା କରିଥିବା କାଦମ୍ବିନୀ ମିଡ଼ିଆଦ୍ୱାରା ସେ ସଂସ୍କୃତି ଏବଂ କଳାର ପ୍ରଚାର ମଧ୍ୟ କରନ୍ତି । ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।