ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ତିନିରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ରାତି ପ୍ରାୟ ୮ଟା ବେଳକୁ ପାରମ୍ପରୀକରୀତି ମତେ ଅଧରପଣା ଭୋଗ କରାଯିବ । ରଥର ପାଶ୍ୱର୍ ଦେବାଦେବୀ, ଚଣ୍ଡିଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଭୋଗ କରାଯିବାପରେ ରଥ ଉପରେ ପଣା ସହିତ ହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯାଇଥାଏ । ଏହି ପଣାକୁ ଭକ୍ତମାନେ ଗ୍ରହଣ କରିନଥାନ୍ତି । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ । ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି।