ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ଗୁରୁବାର ‘ଅଜ୍ଞାତ ଅସ୍ବାଭାବିକ ଘଟଣା’ (ୟୁଏପି) ଉପରେ ଏକ ନୂତନ ରିପୋର୍ଟ ପ୍ରକାଶ କରିଛି, ଯାହାକୁ ଅଜ୍ଞାତ ଉଡ଼ନ୍ତା ବସ୍ତୁ ବା ୟୁଏଫ୍ଓ ଭାବରେ ମଧ୍ୟ ଜନସାଧାରଣ ଜାଣନ୍ତି। ୟୁଏଫ୍ଓକୁ ବୁଝିବା ପାଇଁ ଏକ ସ୍ବାଧୀନ ଅଧ୍ୟୟନ ଦଳ ଗଠନ କରିବାକୁ କରାଯାଇଥିବା ସୁପାରିସର ଉତ୍ତରରେ ଆମେରିକାର ସ୍ପେସ୍ ଏଜେନ୍ସି କହିଛି ଯେ, ଏହା ୟୁଏପି ରିସର୍ଚ୍ଚ ପାଇଁ ଜଣେ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ନାସାର ଅଧିକାରୀମାନଙ୍କୁ ମେକ୍ସିକୋ କଂଗ୍ରେସରେ ୟୁଏଫ୍ଓ ଶୁଣାଣି ଉପରେ ମଧ୍ୟ ପଚରାଯାଇଥିଲା, ଯେଉଁଠି ଅଣ-ମାନବଙ୍କ ମୃତଦେହର ଅବଶେଷ ଉପସ୍ଥାପନ କରାଯାଇଥିଲା। ପ୍ରିନ୍ସଟନ୍ ୟୁନିଭର୍ସିଟି ଜ୍ୟୋତିଃ-ପଦାର୍ଥବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ତଥା ୟୁଏପି ରିପୋର୍ଟର ଚେୟାରମ୍ୟାନ୍ ଡେଭିଡ ସ୍ପର୍ଜେଲ କହିଛନ୍ତି ଯେ, ସେ ନମୁନାଗୁଡିକର ପ୍ରକୃତି ଜାଣି ନାହାନ୍ତି କିନ୍ତୁ ସ୍ୱଚ୍ଛତା ରକ୍ଷା ପାଇଁ ଅନୁରୋଧ କରିଛନ୍ତି।
ସ୍ପର୍ଜେଲ କହିଛନ୍ତି ଯେ, ଏହାକୁ ସେ କେବଳ ଟ୍ୱିଟରରେ ଦେଖିଛନ୍ତି। ସେ ମେକ୍ସିକୋ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଯଦି ତୁମ ପାଖରେ କିଛି ଅଜବ ଜିନିଷ ଅଛି, ତେବେ ତାକୁ ପରୀକ୍ଷା ପାଇଁ ବୈଜ୍ଞାନିକ ସମୁଦାୟ ପାଖରେ ଉପଲବ୍ଧ କରାଅ।’ ସୂଚନାଯୋଗ୍ୟ, ମଙ୍ଗଳବାର ମେକ୍ସିକୋର ସାମ୍ବାଦିକ ତଥା ଦୀର୍ଘଦିନର ୟୁଏଫ୍ଓ ଗବେଷକ ଜାଇମେ ମୌସାନ ରାଜନେତାମାନଙ୍କୁ ଦୁଇଟି ଛୋଟ ଶରୀର ଦେଖାଇଥିଲେ ଯେଉଁଥିରେ ପ୍ରତ୍ୟେକ ହାତରେ ତିନିଟି ଆଙ୍ଗୁଠି ଏବଂ ଲମ୍ବା ମୁଣ୍ଡ ଥିଲା। ପେରୁର ପ୍ରାଚୀନ ନାଜକା ଲାଇନ୍ ନିକଟରେ ଏହି ନମୁନାଗୁଡିକ ଉଦ୍ଧାର କରାଯାଇଛି, ମେକ୍ସିକୋର ଜାତୀୟ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ (ୟୁଏନ୍ଏଏମ୍) ଦ୍ବାରା କାର୍ବନ-ଡେଟ୍ କରାଯାଇଛି ଏବଂ ଏହା ପ୍ରାୟ ୧୦୦୦ ବର୍ଷର ପୁରୁଣା ବୋଲି ସେ ସୂଚନା ଦେଇଥିଲେ। ମୌସାନ ଦାବି କରିଥିଲେ ଯେ, ଏହା ପୃଥିବୀର କୌଣସି ପ୍ରଜାତି ନୁହଁ। ଏହା ଉପରେ ଗବେଷଣା କରାଯିବା ଉଚିତ।