ସମୟ କାହା ପାଇଁ କେମିତି? କେତେବେଳେ ସିଏ ଖୁସି ଖବର ଆଣିଦିଏ ତ ପୁଣି କେତେବେଳେ ଦୁଃଖୀ ଖବର। ଆଉ ସେହି ଖବରରେ ହିଁ ବଦଳିଯାଏ ମଣିଷର ଜୀବନ। ଏଇ ଯେମିତି ଓଡ଼ିଆ କଳାକାର ଅନୁଭବ ମହାନ୍ତି, ଦୀର୍ଘ ୧୦ ବର୍ଷର ବାହାଘର ବିଛେଦର ଖବର ତାଙ୍କୁ ଏହି ମାସ ଆଠ ତାରିଖରେ ମିଳିଥିଲା। ଆଉ ଯାହା ତାଙ୍କୁ ଏକ ଅବାଂଛିତ ବନ୍ଧନରୁ ମୁକ୍ତ ହେବାର ଖୁସି ଦେଇଥିଲା। ଆଉ ଆଜି ସପ୍ତାହକ ପରେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ଆଉ ଏଇ ଦୁନିଆରେ ନାହାନ୍ତି । ଅନୁଭବଙ୍କ ବାପାଙ୍କର କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା। ଅଭୟ ମହାନ୍ତି ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସିନେ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର କଳାକାର ଜିତୁ ରାଉତ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ସହ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ। ତାଙ୍କ ଦେହାନ୍ତ ପରେ କଳାକାର ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। କାହିଁକି ନା ପୁଅ ଅନୁଭବ ତାଙ୍କ ପିତା ମାତାଙ୍କ ଖୁସି ପାଇଁ ଦୁନିଆ ସଙ୍ଗରେ ଲଢ଼ିବାକୁ ପ୍ରସ୍ତୁତ ଥିଲେ ଆଉ ଏବେ ତାଙ୍କ ଦୁନିଆ ହିଁ ହଲିଗଲା।