ଅଭିନୟ ଦୁନିଆରୁ ଗୋଟିକ ପରେ ଗୋଟିଏ ଦୁଃଖ ଖବର ଆସିବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୫ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ ଓ ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଥିଲା ।ତେବେ ଏହା ମଧ୍ୟରେ ଆଜି ପୁଣି ଅଭିନୟ ଜଗତରୁ ଆଉ ଜଣେ କଳାକାର ପ୍ରାଣ ହରାଇଛନ୍ତି । ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ନିତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଟିଭି ସିରିୟଲ ‘ଅନୁପମା’ରେ ସେ ରୁପାଲି ଗାଙ୍ଗୁଲିଙ୍କର ବନ୍ଧୁ ଦେବିକାଙ୍କ ପତି ଭୂମିକାରେ ଅଭିନୟ କରିଥିଲେ । ତେବେ ହାର୍ଟ ଆଟାକରେ ନିତେଶଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜି ସକାଳୁ ସକାଳୁ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ଏବେ ନିତେଶଙ୍କ ମୃତ୍ୟୁ ତାଙ୍କର ପରିବାର, ପ୍ରଶଂସକ ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଦୁଃଖକୁ ବଢ଼ାଇ ଦେଇଛି ।ନିତେଶଙ୍କର ମୃତ୍ୟୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଦେଇଛି । ଏନେଇ ସୋସିଆଲ ମିଡ଼ିଆରେ ତାଙ୍କର ଫ୍ୟାନ୍ସ ଦୁଃଖର ସହିତ ଅନ୍ତିମ ବିଦାୟ ଦେଇଛନ୍ତି । ସବୁ ସମୟରେ ହସୁଥିବା ସେଇ ଚେହେରାକୁ ଆଉ ଦେଖିବାକୁ ମିଳିବ ନାହିଁ । ଗତ ୨୫ ବର୍ଷ ଧରି ଟେଲିଭିଜନ ଦୁନିଆରେ ନିତେଶ ନିଜର ଅଭିନୟର ଯାଦୁ ଦେଖାଇ ଆସୁଥିଲେ ।